ରାଜନୈତିକ ଆଲୋଚନା ହୋଇନି
ନବୀନ-ନୀତୀଶ ଭେଟ୍ଘାଟ୍
ଭୁବନେଶ୍ୱର,୯ା୫(ବୁ୍ୟରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୁରୀରେ ବିହାର ସରକାର ନିର୍ମାଣ କରିବେ ‘ବିହାର ଭବନ’ । ଏଥିପାଇଁ ଓଡ଼ିଶା ସରକାର ମାଗଣାରେ ଦେଢ଼ ଏକର ଜମି ଯୋଗାଇଦେବେ । ନୀତୀଶଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମରେ ଏହି ଘୋଷଣା କରିଛନ୍ତି । ନବୀନଙ୍କ ଏହି ଘୋଷଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ନୀତୀଶ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ନୀତୀଶ ନବୀନ ନିବାସରେ ପହଞ୍ଚିବା ପରେ ନବୀନ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ଼ଘଣ୍ଟା ଧରି ଆଲୋଚନା ହେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ଏହି ଭେଟ୍ଘାଟ୍୍ରେ କୌଣସି ରାଜନୈତିକ ଚର୍ଚ୍ଚା କି ମେଣ୍ଟ ନେଇ ଆଲୋଚନା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ଆମେ ପୁରୁଣା ବନ୍ଧୁ ବୋଲି କହି ରାଜନୈତିକ ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଥିଲେ, ନୀତୀଶ ଜୀ ଭୁବନେଶ୍ୱର ଆସିଥିବାରୁ ମୁଁ ବହୁତ ଖୁସି । ଆମେ ଦୁହେଁ ପୁରୁଣାବନ୍ଧୁ । ଏକାଠି କାମ କରିଛୁ । ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ଆମେ ଦୁହେଁ ମନ୍ତ୍ରୀ ଥିଲୁ । ପୁରୀରେ ‘ବିହାର ଭବନ’ ନିର୍ମାଣ ନିମନ୍ତେ ଜମି ଦେବା ବିଷୟରେ ଆମେ ଆଲୋଚନା କଲୁ । ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିହାରରୁ ଆସୁଥିବା ଲୋକଙ୍କ ରହଣି ପାଇଁ ସେଠାରେ ବିହାର ଭବନ ନିର୍ମାଣ ପାଇଁ ତାଙ୍କ ସରକାର ଇଛା ପ୍ରକାଶ କରିଥିଲେ । ଆମେ ତାଙ୍କୁ ‘ବିହାର ଭବନ’ ନିର୍ମାଣ ପାଇଁ ମାଗଣାରେ ଦେଢ଼ ଏକର ଜମି ଯୋଗାଇ ଦେବୁ ।
ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ତାଙ୍କ (ନବୀନଙ୍କ) ସହିତ ସମ୍ପର୍କ ଆଜିର ନୁହେଁ । ତାଙ୍କ ବାପାଙ୍କ ପରେ ତାଙ୍କ ସହ ମୋର ଭଲ ସମ୍ପର୍କ ରହିଛି । ମୁଁ ବହୁବାର ଏଠାକୁ ଆସିଛି । ଆଜି ଦୁଇ ପୁରୁଣା ବନ୍ଧୁ କଥା ହେଲୁ । ଆମ ଭିତରେ କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି ନୀତୀଶ କହିଥିଲେ । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କୁ ଦେଢ଼ ଏକର ଜମି ମାଗଣାରେ ଯୋଗାଇଦେବାକୁ ନବୀନ ଘୋଷଣା କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।
ଉଲ୍ଲେଖ ଯୋଗ୍ୟ ଏହା ପୂର୍ବରୁ ପୁରୀରେ ‘ବଙ୍ଗ ଭବନ’ ନିର୍ମାଣ ପାଇଁ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ୨ ଏକର ଜମି ଯୋଗାଇ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ମାର୍ଚ୍ଚ ମାସରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ‘ବଙ୍ଗ ଭବନ’ ପାଇଁ ୨ ଏକର ଜମି ଯୋଗାଇ ଦିଆଯିବା କଥା କହିଥିଲେ ।