ଏନ୍କାଉଣ୍ଟର: ୩ ନକ୍ସଲ ନିହତ

ଭବାନୀପାଟଣା,୯ା୫, (ଆପ୍ର): କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଟାପ୍ରେଙ୍ଗ ରିଜର୍ଭ ଫରେଷ୍ଟ ମଧ୍ୟରେ ସିଆର୍ପିଏଫ୍ ପୁଲିସର କମ୍ବି ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷରୁ ଗୁଳି ଚାଳନା ଯୋଗୁଁ ଘଟଣା ସ୍ଥଳରେ ୩ ଜଣ ହାର୍ଡକୋର ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଡିଏସ୍ପି ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପ୍ରେଙ୍ଗ ରିଜର୍ଭ ଫରେଷ୍ଟ ନିକଟ ବରଡା ଜୋର ଠାରୁ ୩୦୦ ମିଟର ଦୂରରେ ମାଓବାଦୀମାନେ ଲୁଚି ଥିବା କଳାହାଣ୍ଡି ଗୁଇନ୍ଦା ବିଭାଗ ସୂତ୍ରରୁ ପୁଲିସ ଖବର ପାଇଥିଲା । ଏହାପରେ ସୋମବାର ଅପରାହ୍ଣରୁ ପୁଲିସ ଓ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ମଙ୍ଗଳବାର ସକାଳ ୮ଟା ସୁଦ୍ଧା ମାଓବାଦୀମାନେ ଲୁଚି ଥିବା ସ୍ଥାନକୁ ପୁଲିସ୍ ଓ ସିଆର୍ପିଏଫ୍ ବାହିନୀ ଚାରି ପଟୁ ଘେରି ଯାଇଥିଲେ । ମାଓବାଦୀମାନେ ପୁଲିସର ଅତର୍କିତ ଚଢଉରେ ଫସି ଥିବା ଜାଣି ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ । ପୁଲିସର ମିଳିତ ବାହିନୀ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ କମ୍ବିଂ ଅପରେସନର ନେତୃତ୍ୱ ନେଉଥିବା ଜଣେ ପୁଲିସ ଡିଏସ୍ପି ଆହତ ହୋଇଥିଲେ । ଆହତ ପୁଲିସ୍ ଡିଏସ୍ପିଙ୍କୁ ପ୍ରଥମେ ମଦନପୁର ରାମପୁର ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଡାକ୍ତର ଖାନାକୁ ପଠାଯାଇଥିଲା । ପରେ ତାଙ୍କୁ ସେଠାରୁ ଏୟାର୍ଲିଫ୍ଟ କରି ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।
ସର୍ଚ୍ଚ ଅପରେସନ ବେଳେ ୩ ଜଣ ଯୁବ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ଛତ୍ର ଭଙ୍ଗ ଦେଇ ·ଲିଯାଇଛନ୍ତି । ଅନେକ ମାଓ କ୍ୟାଡରଙ୍କ ମଧ୍ୟରୁ ଅନେକ ଆହତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହି ମୃତ ମାଓ ନେତାଙ୍କର ଛାତିଗଡ଼ ଘଟଣାରେ ଲିଙ୍କ ଥାଇପାରେ ଓ ଛତିଶଗଡ ଘଟଣା ପରେ ଏହି ମାଓ କ୍ୟାଡରମାନେ ଟାପ୍ରେଙ୍ଗ ରିଜର୍ଭ ଫରେଷ୍ଟରେ ଲୁଚି ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
୨ ବର୍ଷ ତଳେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ର୍ସିକୀ ରିଜର୍ଭ ଫରେଷ୍ଟ ମଧ୍ୟରେ ମାଓବାଦୀ ଓ ପୁଲିସ ମିଳିତ ବାହିନୀର ଅପରେସନ ବେଳେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିହତ ହୋଇଥିଲେ । ଏହାପରେ ରକ୍ତମୁଖା ମାଓବାଦୀ ସଂଗଠନ ପ୍ରତିଶୋଧ ପରାୟଣ ହୋଇ ଅନେକ ନିରୀହ ଜୀବନକୁ ମାଟିରେ ମିଶାଇ ଆସିଥିଲେ । ଏହି ଘଟଣା ପରେ ପୁଲିସ ପକ୍ଷରୁ କେତେ ସତର୍କତା ଓ ସୁରକ୍ଷା ବହନ କରାଯାଉଛି । ମାଓବାଦୀଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ ଏନେଇ ମାଓଗଡରେ ରହୁଥିବା ନିରୀହ ଅଞ୍ଚଳବାସୀ ଭୟ ଓ ଆତଙ୍କିତ ହୋଇ ରହିଛନ୍ତି । ଭୁବନେଶ୍ୱରଠାରେ ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖି କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି । ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ମିଳିଛି । ଅପରେସନରେ ଜଣେ ଡିଏସ୍ପି ଆହତ ହୋଇଛନ୍ତି । ତେବେ ସେ ବିପଦମୁକ୍ତ ଅଛନ୍ତି । ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ନିବେଦନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *