ବସ୍ ଧକ୍କାରେ ବାପା ଓ ଦୁଇ ଝିଅ ମୃତ
ବଲାଙ୍ଗୀର, ୯ା୫(ଆପ୍ର): ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବାପା ଓ ଦୁଇ ଝିଅଙ୍କ ମୃତୁ୍ୟ ଘଟିଛି ।
ଆଧାର କାର୍ଡ଼ ଅପ୍ଡେଟ୍ କରିବା ପାଇଁ ବ୍ରାହ୍ମଣୀପାଲି ଗାଁର ବି. ପାଣ୍ଡେ ତାଙ୍କ ଦୁଇ ଝିଅ ଶିଖା ଓ ରେଖାଙ୍କୁ ବାଇକ୍ରେ ବସାଇ ପୁଇଁତଳା ବ୍ଲକ୍ ଅଭିମୁଖେ ଯାଉଥିଲେ । ଗାଇଁତଲା ଛକଠାରେ ପଛପଟୁ ଆସୁଥିବା ଏକ ଘରୋଇ ବସ୍ ବାଇକକୁ ଧକ୍କା ଦେବାରୁ ତିନି ଜଣ ଯାକ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ । ବାଇକ୍ ପଛରେ ବସିଥିବା ସାନ ଝିଅ ରେଖା ବସ୍ ଚକା ତଳକୁ ·ଲି ଆସିଥିଲା । ଦ୍ରୁତ ଗତିରେ ଯାଉଥିବା ବସ୍ଟି ରେଖାକୁ ଅଧା କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେବାରୁ ଦୁର୍ଘଟଣା ସ୍ଥଳରେ ରେଖାର ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ବାପା ଓ ବଡ଼ ଝିଅ ଶିଖାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଖା ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା । ବଡ଼ ଝିଅ ମୃତ୍ୟୁର କିଛି ସମୟ ପରେ ବାପା ମେଡ଼ିକାଲ୍ ବେଡରେ ଆଖି ବୁଜିଥିଲେ ।
ଦୁର୍ଘଟଣା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ରେଖା ପାଣ୍ଡେଙ୍କ ଶବ ରଖି ଗଇଁତଳା ଛକରେ ରାସ୍ତା ରୋକ କରିଥିଲେ । କ୍ଷତିପୂରଣ ସହିତ ବସ୍ ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ । ବଲାଙ୍ଗିର ଏସ୍ଡିପିଓ ତୋଫାନ ବାଗ ପୁଲିସ ଫୋର୍ସ ସହିତ ଆନେ୍ଦାଳନ ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ପୁଇଁତଳା ତହସିଲଦାର ରୋହିତ ଭୋଇ କ୍ଷତିପୂରଣ ବାବଦକୁ ରେଡ୍କ୍ରସ୍ ପାଣ୍ଠିରୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ବସ୍କୁ ପୁଲିସ୍ ଜବତ କରିବା ସହ ·ଳକକୁ ଗିରଫ କରିଛି ।