ସୂର୍ଯ୍ୟଙ୍କ ଧମାକାରେ ମୁମ୍ବାଇ ବିଜୟୀ
ଆଇପିଏଲ୍-୧୬ । ୫୪ତମ ମ୍ୟାଚ୍
ମୁମ୍ବାଇ, ୯ା୫ (ଏଜେନ୍ସି): ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଦାର ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଚଳିତ ଆଇପିଏଲ୍ର ୫୪ତମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ରେ ପରାସ୍ତ କରିଛି । ମୁମ୍ବାଇର ଏହା ୧୧ ମ୍ୟାଚ୍ରୁ ଷଷ୍ଠ ବିଜୟ, ଅନ୍ୟପଟେ ବାଙ୍ଗାଲୋରର ଏହା ସମାନ ସଂଖ୍ୟକ ମ୍ୟାଚ୍ରୁ ଷଷ୍ଠ ପରାଜୟ ।
ମୁମ୍ବାଇ ଟିମ୍ ୧୬.୩ ଓଭର୍ରେ ୪ ୱିକେଟ୍ ହରାଇ ୨୦୦ ରନ୍ କରି ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ମାତ୍ର ୩୫ ବଲ୍ରୁ ୭ ଚୌକା ଓ ୬ ଛକା ସହାୟତାରେ ୮୩, ନେହାଲ୍ ୱାଧେରା ୩୪ ବଲ୍ରୁ ଅପରାଜିତ ୫୨ ରନ୍ର ଇନିଂସ୍ ଖେଳିଥିଲେ । ସୂର୍ଯ୍ୟକୁମାର ଓ ନେହାଲଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୪ ବଲ୍ରୁ ୧୪୦ ରନ୍ର ଭାଗୀଦାରୀ ହୋଇଥିଲା ।
ଟିମ୍ର ଓପନିଂ ଯୋଡ଼ି ଈଶାନ କିଶନ ଓ ଅଧିନାୟକ ରୋହିତ ଶର୍ମା ୫୧ ରନ୍ର ଭାଗୀଦାରୀ କରିଥିଲା । ଈଶାନ ୨୧ ବଲ୍ରୁ ୪୨ ରନ୍ କରି ହସରଙ୍ଗାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରୋହିତ ମାତ୍ର ୭ ରନ୍ କରି ହସରଙ୍ଗାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ପଞ୍ଚମ ଓଭର୍ରେ ଦୁଇଟିଯାକ ୱିକେଟ୍ ପଡ଼ିଥିଲା ।
ମୁମ୍ବାଇ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ରେ ଆର୍ଚରଙ୍କ ସ୍ଥାନରେ କ୍ରିସ୍ ଜୋର୍ଡାନ୍ଙ୍କୁ ସାମିଲ୍ କରାଯାଇଥିଲା । ଜୋର୍ଡାନ୍ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିଲେ । ଅନ୍ୟପଟେ, ବାଙ୍ଗାଲୋର ଟିମ୍ରେ ବିଜୟକୁମାର ଭିଶାକ୍ଙ୍କୁ କର୍ଣ୍ଣ ଶର୍ମାଙ୍କ ସ୍ଥାନରେ ସାମିଲ କରାଯାଇଥିଲା ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା । ମ୍ୟାକ୍ସୱେଲ୍ ୬୮ ଓ ଡୁ’ ପ୍ଲେସିସ୍ ୬୫ ରନ୍ କରିଥିଲେ । ବିପକ୍ଷ ବୋଲର୍ ଜାସନ୍ ବେହରେନ୍ଡର୍ଫ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ କାମେରନ୍ ଗ୍ରୀନ୍, କ୍ରିସ୍ ଜୋର୍ଡାନ, କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୬ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ବିରାଟ କୋହଲି ୧ ଓ ଅନୁଜ ରାୱତ ୬ ରନ୍ କରି ବେହରନ୍ଡର୍ଫଙ୍କ ଶିକାର ହୋଇଥିଲେ । ଏହାପରେ ମ୍ୟାକ୍ସୱେଲ୍ ଓ ଡୁ’ପ୍ଲେସିସ୍ ମିଶି ଇନିଂସ୍ ସମ୍ଭାଳିଥିଲେ । ସିଜନ୍ରେ ମ୍ୟାକ୍ସୱେଲ୍ଙ୍କ ଏହା ଚତୁର୍ଥ ଅର୍ଦ୍ଧଶତକ । ଉଭୟ ତୃତୀୟ ୱିକେଟ୍ ପାଇଁ ୬୧ ବଲ୍ରୁ ୧୨୦ ରନ୍ର ଧୂଆଁଦାର ଭାଗୀଦାରୀ କରିଥିଲେ ।
ଇତ୍ୟବସରେ ମ୍ୟାକ୍ସୱେଲ୍ ୨୫ ବଲ୍ରୁ ଓ ଡୁ’ପ୍ଲେସିସ୍ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ବେହରେନ୍ଡର୍ଫ ଏହି ଯୋଡ଼ି ଭାଙ୍ଗିଥିଲେ । ମ୍ୟାକ୍ସୱେଲ୍ ମାତ୍ର ୩୩ ବଲ୍ରୁ ୮ ଚୌକା ଓ ୪ ଛକା ସହାୟତାରେ ୬୮ ରନ୍ର ଇନିଂସ୍ ଖେଳିଥିଲେ । ପରବର୍ତ୍ତୀ ବ୍ୟାଟର୍ ମହିପାଲ୍ ଲୋମରର୍ (୧)ଙ୍କ ୱିକେଟ୍ କାର୍ତ୍ତିକେୟଙ୍କ ଖାତାକୁ ଯାଇଥିଲା । ଏହା ପର (୧୫ତମ) ଓଭର୍ରେ ଡୁ’ ପ୍ଲେସିସ୍ଙ୍କ ୱିକେଟ୍ ପଡ଼ିଥିଲା । ସେ ୪୧ ବଲ୍ରୁ ୫ ଚୌକା ଓ ୩ ଛକା ସହାୟତାରେ ୬୫ ରନ୍ କରି ଗ୍ରୀନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଦିନେଶ କାର୍ତ୍ତିକ ଓ କେଦାର ଜାଧବ ଷଷ୍ଠ ୱିକେଟ୍ ପାଇଁ ୪୯ ରନ୍ର ଭାଗୀଦାରୀ କରିଥିଲେ । କାର୍ତ୍ତିକ ୧୮ ବଲ୍ରୁ ୩୦ ରନ୍ କରି ଜୋର୍ଡାନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଜାଧବ ୧୨ ଓ ହସରଙ୍ଗା ଡି’ ସିଲ୍ଭା ୧୨ ରନ୍ କରି ଅପରାଜିତ ଥିଲେ ।