ପ୍ରଚାରରେ ଡିସେନ୍ସି ରଖ

ବିରୋଧୀଙ୍କୁ ନବୀନଙ୍କ ସଫ୍ଟ ଟାର୍ଗେଟ୍
ଭୁବନେଶ୍ୱର, ୭ା୫(ବୁ୍ୟରୋ): ନିର୍ବାଚନରେ ହାର୍ ଜିତ୍ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତ ଡିସେନ୍ସି ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି ଆମର ମହିଳାମାନଙ୍କୁ, ଆମର ମା’ମାନଙ୍କୁ ଗାଳି ଦେବା କିମ୍ବା ଅପମାନ କରିବା ଉଚିତ ନୁହେଁ । ବିରୋଧୀ ବାରମ୍ବାର ତାହା କରୁଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ପ୍ରଚାରରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଏଭଳି ଢଙ୍ଗରେ ଶାଣିତ ଆକ୍ରମଣ କରିଛନ୍ତି ।
ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଉପ-ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ସେଠାରେ ରୋଡ ଶୋ’ ପରେ ଆମିଲିପାଲି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର୍ର ସାଏଙ୍କୁ ସ୍ମରଣ କରି, ଝାରସୁଗୁଡା ମାଟିକୁ ପ୍ରଣାମ କରିବା ସହିତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡ଼ିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି ଓ ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁୁ ମନେ ରଖିବେ । ଆଜି ସ୍ୱର୍ଗତ ଦାସଙ୍କ ଦାୟିତ୍ୱ ନେବା ସହିତ ଆପଣମାନଙ୍କ ସେବା କରିବାପାଇଁ ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି । ଆପଣ ଜାଣନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତା ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି । ମୋର ବିଶ୍ୱାସ, ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି । ଆପଣମାନେ ବିକାଶରେ ବିଶ୍ୱାସ କରନ୍ତି । ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳ ମା’ମାନଙ୍କ କଲ୍ୟାଣରେ ବିଶ୍ୱାସ କରେ । ମା’ମାନଙ୍କ ସଶକ୍ତିକରଣରେ ବିଶ୍ୱାସ କରେ । ଚାଷୀ ଭାଇର ସଶକ୍ତିକରଣ ଉପରେ ବିଶ୍ୱାସ କରେ । ଯୁବଶକ୍ତିର ସଶକ୍ତିକରଣରେ ବିଶ୍ୱାସ କରେ । ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ୱତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ ।
ବିରୋଧୀଙ୍କୁ ଶାଣିତ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଦ୍ମପୁର ଉପ-ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ମଧ୍ୟ ଦେଉଛନ୍ତି । ଏହା ମୋତେ ବହୁତ ଦୁଃଖ ଦେଇଛି । ଦୀପାଳି ଏ ମାଟିର ଝିଅ । ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ତେଣୁ ମୋର ଅନୁରାଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରାଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *