ହାଇଦରାବାଦର ରୋମାଞ୍ଚକ ବିଜୟ
ପାଣିରେ ପଡ଼ିଲା ବଟ୍ଲର୍ ଧମାକା
ଜୟପୁର, ୭ା୫ (ଏଜେନ୍ସି): ସନ୍ରାଇଜର୍ସ ହାଇଦରାବାଦ ଚଳିତ ଆଇପିଏଲ୍ ସିଜନ୍ର ୫୨ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୪ ୱିକେଟ୍ରେ ପରାସ୍ତ କରିଛି ।
୨୧୫ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୨୧୭ ରନ୍ କରିଥିଲା । ଅବଦୁଲ ସମାଦ ୧୭ ଓ ମାର୍କୋ ଜାନ୍ସେନ୍ ୩ ରନ୍ କରି ଅପରାଜିତ ଥିଲେ ।
ଟିମ୍ର ଓପନିଂ ଯୋଡ଼ି ୫୧ ରନ୍ରେ ଭାଙ୍ଗିଥିଲା । ଅନମୋଲପ୍ରୀତ ସିଂହ ୩୩ ରନ୍ କରି ଯୁଜବେନ୍ଦ୍ର ଚହଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟତମ ଓପନର୍ ଅଭିଷେକ ଶର୍ମା ଓ ନୂଆ ବ୍ୟାଟର୍ ରାହୁଲ ତ୍ରିପାଠୀ ମିଶି ଇନିଂସ୍କୁ ୧୦୦ ପାରି କରାଇବା ସହ ୬୫ ରନ୍ର ଭାଗୀଦାରୀ କରିଥିଲେ । ଅଭିଷେକ ୩୪ ବଲ୍ରୁ ୫୫ ରନ୍ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ହିନରିଚ୍ କ୍ଲାସେନ୍ ୨୬ ରନ୍ କରି ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ଯଶସ୍ୱୀ ଜୟସ୍ୱାଲ ଓ ବଟ୍ଲର୍ଙ୍କ ଯୋଡ଼ି ଓପନିଂ ୱିକେଟ୍ ପାଇଁ ୫୪ ରନ୍ର ଭାଗୀଦାରୀ କରିଥିଲେ । ଯଶସ୍ୱୀ ୩୫ ରନ୍ କରି ଜାନ୍ସେନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ବଟ୍ଲର୍ ଅଧିନାୟକ ସଞ୍ଜୁ ସାମ୍ସନ୍ଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଏହି ଯୋଡ଼ି ୧୯ତମ ଓଭର୍ ପର୍ଯ୍ୟନ୍ତ ଖେଳିଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ୮୧ ବଲ୍ରୁ ୧୩୮ ରନ୍ ଯୋଗ ହୋଇଥିଲା ।
ରାହୁଲ ୨୯ ବଲ୍ରୁ ୪୭ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ୱିକେଟ୍ ଚହଲଙ୍କ ଖାତାକୁ ଯାଇଥିଲା । ଅଧିନାୟକ ଏଡେନ୍ ମାର୍କ୍ରମ (୬) ମଧ୍ୟ ଚହଲଙ୍କ ସ୍ପିନ୍ଜାଲରୁ ବର୍ତ୍ତି ନ ଥିଲେ ।