ବିଜେପିର ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର,୭ ।୫ (ବୁ୍ୟରୋ): ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ସାଇଲେଣ୍ଟ ଆହ୍ୱାର । ଏହାର ଦିନକ ପୂର୍ବରୁ ରବିବାର ହଜାର ହଜାର ଦଳୀୟ କର୍ମୀଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତି ପ୍ରଦର୍ଶନ କରିଛନ୍ତି । ଝାରସୁଗୁଡା ସହରରେ ରୋଡ୍ ଶୋ କରିବା ସହିତ କୁଲାବିରା ଠାରେ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ଭୋଟ ମାଗିବା ସହିତ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
କୁଲାବିରା ନିର୍ବାଚନୀ ମଞ୍ଚରୁ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ? କେନ୍ଦ୍ର ଦେଉଥିବା ଅର୍ଥ କୁଆଡ଼େ ଯାଉଛି? ପିଏମ୍ ଆବାସ ଯୋଜନାରେ ଗୃହ ଆବଣ୍ଟନରେ ଅନିୟମିତତାର କାରଣ କ’ଣ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିପରି ନିର୍ବାଚନୀ ସଭାରେ ପୂର୍ବତନ ମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କୁ ମନେ ପକାଇବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେହିଭଳି ଏହି ନିର୍ବାଚନୀ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ୍, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ହେଭିୱେଟ୍ ନେତା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ମାଗିଥିଲେ ।