ଆଜି ସଂଧ୍ୟା ସୁଦ୍ଧା ଝାରସୁଗୁଡ଼ା ଛାଡ଼ିବେ ନେତା

ଭୁବନେଶ୍ୱର,୭ା୫ (ତଥ୍ୟ): ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବାହାରୁ ଆସି ଉପର୍ନିବାଚନକୁ ସରଗରମ କରୁଥିବା ନେତାମାନେ ସୋମବାର ସଂଧ୍ୟାସୁଦ୍ଧା ଏହି ର୍ନିବାଚନମଣ୍ଡଳୀ ଛାଡିବେ । ୧୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ୮ତାରିଖ ଅପରାହ୍ନରୁ ପ୍ରଚାର ଶେଷ ହେଉଥିବା ପରିପ୍ରେକ୍ଷୀରେ ଏହି ନେତାମାନେ ଝାରସୁଗୁଡା ସୀମା ବାହାରେ ରହିବେ ।
ଲାଇକେରା, କିରିମିରା, କୋଲାବିରା ଓ ଝାରସୁଗୁଡାକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପ୍ରଚାର ରବିବାର ଚରମସୀମାରେ ପହଞ୍ଚିଛି । ଗୋଟିଏ ପଟେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିବାବେଳେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ଏକାଧିକ ସଭା ସମିତିରେ ଯୋଗଦେବା ସଂଗେ ସଂଗେ ରୋଡ୍‌ ସୋ ମଧ୍ୟ କରିଛନ୍ତି ।
ସୋମବାର ଦିନ ପ୍ରଚାର ଅଭିଯାନ ଶେଷ ହେଉଥିବାରୁ ବିଭିନ୍ନ ପଞ୍ଚାୟତ ଓ ପୌର ୱାର୍ଡରେ ମାଳ ମାଳ ନେତା ନିଜ ନିଜ ଦଳ ପାଇଁ ସୋମବାର ପ୍ରଚାର ଅଭିଯାନକୁ ଶେଷସ୍ପର୍ଶ ଦେବେ । କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଜୁମ୍ବୋ ଟିମ୍‌ ମଧ୍ୟ ଝାରସୁଗୁଡାରେ ଡେରା ପକାଇ ନିଜ ପୂର୍ବ ଗଡର ସୁରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।
ଝାରସୁଗୁଡାରେ ଲଗାତାର ଭାବେ ତିନି ଥର ନବ କିଶୋର ଦାସ ଜିଣି ଆସିଥିଲେ । ଦୁଇ ଥର କଂଗ୍ରେସ ଟିକଟରେ ବାଜିମାତ୍‌ କରିଥିବାବେଳେ ୨୦୧୯ରେ ସେ ଦଳ ବଦଳାଇ ବିଜେଡି ପ୍ରାର୍ଥୀ ଭାବେ ଜିଣି ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ଜାନୁୟାରୀ ୨୯ରେ ସ୍ପଷ୍ଟ ଦିବାଲୋକରେ ଗାନ୍ଧୀଛକ ନିକଟରେ ଜଣେ ପୁଲିସ୍‌ ଅଧିକାରୀଙ୍କ ଗୁଳିରେ ନବ ଦାସଙ୍କ ମୃତୁ୍ୟ ଘଟିବା ପରେ ଏଠାରେ ଉପନିର୍ବାଚନ ହେଉଛି ଏବଂ ନବ ଦାସଙ୍କ କନ୍ୟା ଦିପାଳୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେହିଭଳି ପୂର୍ବରୁ ଝାରସୁଗୁଡା ପୌରସଂସ୍ଥାର ଦୁଇଥର ଅଧ୍ୟକ୍ଷ ଓ ଏହି ବିଧାନସଭା କ୍ଷେତ୍ରରୁ ତିନି ଥର ବିଧାୟକ ହୋଇଥିବା କଂଗ୍ରେସ ନେତା ବୀରେନ୍ଦ୍ର ପାଣ୍ଡେଙ୍କର ଗତ ମାର୍ଚ୍ଚମାସରେ ପରଲୋକ ହେବାପରେ କଂଗ୍ରେସ ଏଠାରୁ ତାଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ଅନ୍ୟ ପକ୍ଷରେ ପୂର୍ବରୁ ବିଜେପି ଯୁବ ଶାଖାର ରାଜ୍ୟଶାଖା ସଭାପତି ଥିବା ଏବଂ ଏବେ ଦଳର ପ୍ରାଦେଶିକ ସମ୍ପାଦକ ରହିଥିବା ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଏହି ତିନି ଜଣ ପ୍ରାର୍ଥୀ ଯୁବବର୍ଗର । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଏବେ ତିନିଟି ଯାକ ଦଳ ଏଠାରେ ସେମାନଙ୍କ ସମସ୍ତ ଶକ୍ତି ଓ ସମ୍ବଳ ଖଟାଇ ନିର୍ବାଚନ ଲଢୁଛନ୍ତି । ଝାରସୁଗୁଡାର ନିର୍ବାଚନ ପ୍ରଚାର ଅଭିଯାନରେ ରାଜ୍ୟର ବହୁ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଅଧିକାଂଶ ସାଂସଦ, ବହୁ ବିଧାୟକ ଏବଂ ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଛନ୍ତି । ନିର୍ବାଚନମଣ୍ଡଳୀ ଭିତରେ ଥିବା କୌଣସି ହୋଟେଲରେ ଏବେ ପ୍ରକୋଷ୍ଠ ଖାଲି ନାହିଁ ।
ଝାରସୁଗୁଡା ନିର୍ବାଚନମଣ୍ଡଳୀର ବାସିନ୍ଦା ନଥିବା ନେତାମାନେ ସୋମବାର ସଂଧ୍ୟାରୁ ଆଉ ଏଠାରେ ରହିପାରିବେ ନାହିଁ । ତେଣୁ ଝାରସୁଗୁଡା ସୀମା ବାହାରେ ରହି ନିର୍ବାଚନ ପରିଚାଳନା କରିବାଲାଗି ଏବେ ସୁନ୍ଦରଗଡ, ବ୍ରଜରାଜନଗର, ବୁର୍ଲା, ସମ୍ବଲପୁର, ବରଗଡ ଆଦି ସହରର ହୋଟେଲ ପ୍ରକୋଷ୍ଠଗୁଡିକ ଏହି ନେତାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ପ୍ରଚାର ଅଭିଯାନ ବେଶ୍‌ ସରଗରମ ଥିବାବେଳେ ଅଧିକାଂଶ ବୁଥ୍‌ ସମ୍ବେଦନଶୀଳ ଥିବା ଦୃଷ୍ଟିରୁ ସୋମବାର ଠାରୁ ବୁଥ୍‌ଗୁଡିକୁ ପୁଲିଂ ଓ ପ୍ରିଜାଇଡିଂ ଅଫିସରମାନେ ଯିବେ । ଏହାଛଡା ରାଜନୈତିକ ସଂଘର୍ଷ ସମ୍ଭାବନା ପରିପ୍ରେକ୍ଷୀରେ ସାରା ନିର୍ବାଚନମଣ୍ଡଳୀରେ ବ୍ୟାପକ ପୁଲିସ୍‌ ବନେ୍ଦାବସ୍ତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *