ଗୁଜରାଟ ପ୍ଲେ-ଅଫ୍ର ନିକଟତର

ଆଇପିଏଲ୍-୧୬
ଅହମଦାବାଦ, ୭ା୫ (ଏଜେନ୍ସି): ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍ରେ ପ୍ଲେଅଫ୍ର ନିକଟତର ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ରବିବାର ସିଜନ୍ର ୫୧ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସକୁ ୫୬ ରନ୍ରେ ପରାସ୍ତ କରିଛି । ଟିମ୍ ୧୧ ମ୍ୟାଚ୍ରୁ ଆଠ ବିଜୟ ସହ ୧୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ୯୪ ରନ୍ର ବିସ୍ଫୋରକ ଅପରାଜିତ ଇନିଂସ୍ ଖେଳିଥିବା ଶୁଭମନ ଗିଲ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
୨୨୮ ରନ୍ର ବୃହତ୍ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଲକ୍ଷ୍ନୌ ଟିମ୍ ଧାର୍ଯ୍ୟ ଓଭର୍ରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଓପନର୍ କୁଇଣ୍ଟନ୍ ଡି’ କକ୍ ସର୍ବାଧିକ ୭୦ ରନ୍ର ଇନିଂସ୍ ଖେଳିଥିଲେ । ଭଲ ଆରମ୍ବ ସତ୍ତ୍ୱେ ମଧ୍ୟକ୍ରମର ବିଫଳତା ଯୋଗୁଁ ଟିମ୍ ଲକ୍ଷ୍ୟ ଠାରୁ ଦୂରେଇ ରହିଯାଇଥିଲା । ବିପକ୍ଷ ବୋଲର୍ ମୋହିତ ଶର୍ମା ୨୯ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମୀ, ରଶିଦ ଖାନ୍ ଓ ନୂର୍ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
କାଇଲ୍ ମାୟର୍ସ ଓ ଡି’ କକ୍ଙ୍କ ଯୋଡ଼ି ଓପନିଂ ୱିକେଟ୍ ପାଇଁ ୮୮ ରନ୍ର ଭାଗୀଦାରୀ କରିଥିଲେ । ମାୟର୍ସ (୩୨ ବଲ୍ରୁ ୪୮ ରନ୍)ଙ୍କୁ ଆଉଟ୍ କରି ମୋହିତ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଦୀପକ ହୁଡ଼ା ୧୧ ଓ ମାର୍କସ ଷ୍ଟୋଇନିସ୍ ୪ ରନ୍ କରି ଯଥାକ୍ରମେ ମହମ୍ମଦ ଶାମୀ ଓ ମୋହିତଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଡି’ କକ୍ ୪୧ ବଲ୍ରୁ ୭୦ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୭ ଚୌକା ଓ ୩ ଛକା ରହିଥିଲା । ସେ ରଶିଦ ଖାନ୍ଙ୍କ ଶିକାର ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ୍ ପୂରନ୍ ୩, ଆୟୂଷ ବଦୋନୀ ୨୧, ଅଧିନାୟକ କୃଣାଲ ପାଣ୍ଡ୍ୟା ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ । ସ୍ୱପ୍ନିଳ ସିଂହ ୨ ଓ ରବି ବିଷ୍ଣୋଇ ୪ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୨୭ ରନ୍ର ବଡ଼ ସ୍କୋର୍ ଛିଡ଼ା ହୋଇଥିଲା । ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ବିନା ୱିକେଟ୍ରେ ୭୮ ରନ୍ ଥିଲା । ୫୦ ବଲ୍ରେ ସ୍କୋର୍ ୧୦୦ ଛୁଇଁଥିଲା । ଇତ୍ୟବସରେ ସାହା ୨୦ ବଲ୍ରୁ ଓ ଗିଲ୍ ୨୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଓପନିଂ ୱିକେଟ୍ ପାଇଁ ୬୭ ବଲ୍ରୁ ୧୪୨ ରନ୍ର ଭାଗୀଦାରୀ ହୋଇଥିଲା ।
ସାହା (୪୩ ବଲ୍ରୁ ୮୧)ଙ୍କୁ ଆଉଟ୍ କରି ଅଭେଶ ଖାନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ସାହାଙ୍କ ଇନିଂସ୍ରେ ୧୦ ଚୌକା ଓ ୪ ଛକା ରହିଥିଲା । ଏହାପରେ ଗିଲ୍ ଅଧିନାୟକ ପାଣ୍ଡ୍ୟାଙ୍କ ସହ ମିଶି ୪୨ ରନ୍ ଯୋଗ କରିଥିଲେ । ପାଣ୍ଡ୍ୟା ୧୫ ବଲ୍ରୁ ୨୫ ରନ୍ କରି ମୋହସିନ୍ ଖାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଗିଲ୍ ଓ ଡେଭିଡ୍ ମିଲର୍ ଇନିଂସ୍କୁ ୨୦୦ ଅତିକ୍ରମ କରାଇଥିଲେ । ଗିଲ୍ ୫୧ ବଲ୍ରୁ ୨ ଚୌକା ଓ ୫ ଛକା ସହାୟତାରେ ୯୪ ଏବଂ ମିଲର୍ ୧୨ ବଲ୍ରୁ ୨୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *