ଜଳବାୟୁ ପରିବର୍ତ୍ତନ ଦେଶ ପାଇଁ ବଡ଼ ଆହ୍ୱାନ

ଏମ୍ଏସ୍ସିବି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି
ବାରିପଦା, ୬ା୫ (ଆପ୍ର): ଆଜି ସାରା ପୃଥିବୀ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି । ଏହା ଦେଶ ପାଇଁ ସବୁଠାରୁ ବଡ ଆହ୍ୱାନ ହୋଇଛି । ତେବେ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାରେ ଭାରତ ସାରା ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏହାକୁ ‘ଲାଇଫ’ ବା ଲାଇଫଷ୍ଟାଇଲ୍‌ ଫର୍ ଏନ୍ଭାଇରନମେଣ୍ଟ ବୋଲି କୁହାଯାଉଛି । ଆମ ପରମ୍ପରାରେ, ଉଦ୍ଭିଦ, ବୃକ୍ଷଲତା, ପର୍ବତ, ନଦୀର ଜୀବନ ଅଛି ବାଲି ବିଶ୍ୱାସ କରାଯାଏ । କେବଳ ମଣିଷ ନୁହନ୍ତି ସମ୍ପୂର୍ଣ୍ଣ ଜୀବଜଗତ ପ୍ରକୃତି ମାତାର ସନ୍ତାନ । ତେଣୁ ପ୍ରକୃତି ସହିତ ସହାବସ୍ଥାନ କରି ରହିବା ସବୁ ମନୁଷ୍ୟଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଶିମିଳିପାଳ ଜାତୀୟ ଉଦ୍ୟାନ ଜୈବବିବିଧତା କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଗବେଷଣା ଓ ଉଦ୍ଭାବନ ଜରିଆରେ ଜୈବବିବିଧତାର ସଂରକ୍ଷଣ ପାଇଁ ମାର୍ଗ ସନ୍ଧାନ କରିପାରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ରାଷ୍ଟ୍ରପତି କହିଲେ, ମହାରାଜା ଶ୍ରୀରାମ ଚନ୍ଦ୍ର୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଅତି କମ୍ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଭିନବ ପରିଚୟ ସୃଷ୍ଟି କରିଛି । ଜନଜାତି ପଦ୍ଧତି ଓ ସାଂସ୍କୃତିକ ପରମ୍ପରାର ମୂଳଦୁଆକୁ ସଂରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏକ ‘ପବିତ୍ର ଉପବନ’ ପ୍ରତିଷ୍ଠାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ସେ କହିଥିଲେ, ଏହି ‘ପବିତ୍ର ଉପବନ’ ପରିବେଶ ଓ ସ୍ଥାନୀୟ ବିବିଧତାର ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରାକୃତିକ ସମ୍ବଳର ଗୋଷ୍ଠୀ ଆଧାରିତ ପରିଚାଳନାର ଏହା ଏକ ଶ୍ରେଷ୍ଠ ଉଦାହରଣ । ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, କେବଳ ଡିଗ୍ରୀ ହାସଲ କରିବା ଦ୍ୱାରା ଶିକ୍ଷାଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବ ନାହିଁ । ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ଉଚ୍ଚଶିକ୍ଷା ହାସଲ କରିସାରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଚାକିରି କରିବେ, ଆଉ କିଛି ବ୍ୟବସାୟ ଏବଂ ଗବେଷଣା କରିବେ, କିନ୍ତୁ ଚାକିରି କରିବା ଅପେକ୍ଷା ଚାକିରି ଦେବା ପାଇଁ ଚିନ୍ତା କରିବା ଭଲ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଇନ୍କ୍ୟୁବେସନ ସେଣ୍ଟର ପ୍ରତିଷ୍ଠା କରାଯିବା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କୁ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇ ଦିଆଯାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ପ୍ରତିଯୋଗିତା ଜୀବନର ଏକ ଅପରିହାର୍ଯ୍ୟ ଦିଗ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ବ୍ୟକ୍ତି ପ୍ରତିଯୋଗିତାର ସାମ୍ନା କରିଥାନ୍ତି । ଛାତ୍ରଛାତ୍ରୀ ସବୁବେଳେ ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଚେଷ୍ଟା କରିବା ଉଚିତ୍‌ । ନିଜର ଇଚ୍ଛାଶକ୍ତି ବଳରେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ । କେବଳ ନିଜର ଖୁସି ଓ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମାଜ ଓ ଦେଶର କଲ୍ୟାଣ ପାଇଁ ଚିନ୍ତା କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିବେଦନ କରିଥିଲେ ।
ଏହି ଅବସରରେ ଉଲ୍ଲେଖଯୋଗ୍ୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସ୍ସି ପ୍ରଦାନ ନେଇ ତାଲିକା ଥିବା ବେଳେ ୪ଜଣ ଗ୍ରହଣ କରିଥିଲେ । କଣ୍ଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଝୁମର ଗବେଷିକା ଡ. ବୀଣାପାଣି ମହାନ୍ତ, ରାଜଯୋଗିନୀ ବ୍ରହ୍ମକୁମାରୀ କମଳେଶ, ସାନ୍ତାଳୀ ସାହିତି୍ୟକ ଅର୍ଜୁନ ଚରଣ ହେମ୍ବ୍ରମ୍ଙ୍କୁ ସମ୍ମାନସୂଚକ ଡି.ଲିଟ୍ ଓ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଦାସଙ୍କୁ ଡିଏସ୍ସି ପ୍ରଦାନ କରାଯାଇଥିଲା । ଏଥିସହିତ କୃତି ଶିକ୍ଷାର୍ଥୀଙ୍କୁ ପିଏଚ୍ଡି ଓ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *