ନବୀନଙ୍କୁ ମନାଇବେ ନୀତୀଶ!
୯ରେ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬ା୫(ବୁ୍ୟରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିବିରୋଧୀ ମେଣ୍ଟ ପ୍ରୟାସ ଜାରି ରଖିଛନ୍ତି । ସେ ବିଭିନ୍ନ ଦଳର ସମର୍ଥନ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ସେ ଆସନ୍ତା ୯ ତାରିଖରେ ଓଡିଶା ଗସ୍ତରେ ଆସି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମନାଇବା ଉଦ୍ୟମ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୀତୀଶ କୁମାର ମଙ୍ଗଳବାର ଦିନ ୧୨ଟାରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବେ ।
ପ୍ରକାଶ ଥାଉ କି ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିବିରୋଧୀ ମେଣ୍ଟ ପାଇଁ ନୀତିଶ କୁମାର ନେତୃତ୍ୱ ନେଇଛନ୍ତି । ଏଥିପାଇଁ ସେ ଜାତୀୟ ଦଳ ସହିତ ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କ ସହ ଆଲୋଚନା କରି ସମର୍ଥନ ଲୋଡିଛନ୍ତି । ଏହି କ୍ରମରେ ସେ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କୁ ଭୋଟି ବିଜେପି ବିରୋଧୀ ମେଣ୍ଟ ସପକ୍ଷରେ ସହଯୋଗ ଲୋଡିଥିଲେ । ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ସିଂହ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି. ରାଜା ପ୍ରମୁଖଙ୍କ ସହ ସାକ୍ଷାତ କରିସାରିଛନ୍ତି । ମେ’ ତୃତୀୟ ସପ୍ତାହରେ ପାଟଣାରେ ବିରୋଧୀ ଦଳମାନଙ୍କ ଏକ ବିରାଟ ରାଲିର ଆୟୋଜନ ହେଉଛି । ଏଥିରେ ସାମିଲ ହେବାକୁ ବିଭିନ୍ନ ଜାତୀୟ ଦଳ ସହିତ ଆଞ୍ଚଳିକ ଦଳକୁ ସେ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ତାଙ୍କୁ ମଧ୍ୟରେ ଏଥିରେ ସାମିଲ ହେବାକୁ ନିମନ୍ତ୍ରଣ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।