ଚାର୍ଲସ୍-କାମିଲା ହେଲେ ରାଜା-ରାଣୀ
ଲଣ୍ଡନ, ୬ା୫: ସତୁରି ବର୍ଷ ପରେ ବ୍ରିଟେନ୍ରେ ନୂଆ ରାଜା-ରାଣୀଙ୍କ ରାଜ୍ୟାଭିଷେକ ହୋଇଛି । ଲଣ୍ଡନର ୱେଷ୍ଟମିନଷ୍ଟର ଏବ୍ୱେ ଚର୍ଚ୍ଚରେ ଆୟୋଜିତ ଭବ୍ୟ ସମାରୋହରେ ୭୪ ବର୍ଷୀୟ ଚାର୍ଲସ୍ ତୃତୀୟ ରାଜା ରୂପେ ଶପଥ ଗ୍ରହଣ କରିଛନ୍ତି । ଚାର୍ଲସ୍ ତୃତୀୟ ରାଜାରୂପେ ଅଭିଷିକ୍ତ ହେବାପରେ ରାଣୀ କାମିଲା ମୁକୁଟ ପିନ୍ଧିଥିଲେ । ସେହି ମୁକୁଟରେ କୋହିନୂର ହୀରା ଲାଗି ନ ଥିଲା । ଚାର୍ଲସ୍ଙ୍କ ରାଜ୍ୟାଭିଷେକ ପରେ ବି୍ରଟେନ୍ର ୧୩ଟି ସ୍ଥାନରେ ୧୦ ସେକେଣ୍ଡ ବ୍ୟବଧାନରେ ୨୧ ଗନ୍ ସ୍ୟାଲୁଟ୍ ଦିଆଯାଇଥିଲା । ଶନିବାରର ଏହି ଭବ୍ୟ ସମାରୋହରେ ଶତାଧିକ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିବାବେଳେ ଭାରତର ପ୍ରତିନିଧି ରୂପେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ।
ଗତବର୍ଷ ସେପ୍ଟେମ୍ବରରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ଜ୍ୟେଷ୍ଠପୁତ୍ର ଚାର୍ଲସ୍ ତୃତୀୟଙ୍କୁ ବ୍ରିଟେନ୍ର ରାଜା ଘୋଷଣା କରାଯାଇଥିଲା । ତେବେ ରାଜକୀୟ ବିଧିବିଧାନ ଅନୁଯାୟୀ ଶନିବାର ରାଜ୍ୟାଭିଷେକ ସମ୍ପନ୍ନ ହୋଇଥିଲା । ଚାର୍ଲସ୍ ତୃତୀୟ ରାଜା ହେଲେ ବୋଲି ଆର୍ଚବିଶପ୍ ଘୋଷଣା କରିଥିଲେ । ଏହାପରେ ଚାର୍ଲସ୍ ଖ୍ରୀଷ୍ଟିଆନ୍ଙ୍କ ବାଇବଲ୍ ଉପରେ ହାତ ରଖି ଶପଥ ନେଇ କହିଥିଲେ, ମୁଁ ରାଜ୍ କରିବାପାଇଁ ନୁହେଁ, ସେବା କରିବା ପାଇଁ ଆସିଛି । ଆର୍ଚବିଶପ୍ ସୁନା କଳସରୁ ପବିତ୍ର ତୈଳ ଆଣି ରାଜା ଚାର୍ଲସ୍ଙ୍କ ହାତ ଓ ମୁଣ୍ଡରେ ଢାଳିଥିଲେ । ପରେ ପରେ ରାଜାଙ୍କୁ ନ୍ୟାୟର ପ୍ରତୀକ ଏକ ଖଡ୍ଗ ଦିଆଯାଇଥିଲା । ରାଜାଙ୍କ ଶପଥ ଗ୍ରହଣ ପରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଋଷି ସୁନକ ବାଇବଲ୍ର ଗୋଟିଏ ଅଧ୍ୟାୟ ପାଠ କରିଥିଲେ ।
ରାଜ୍ୟାଭିଷେକ ପରେ ବ୍ରିଟେନର ରାଜା ଚାର୍ଲସ୍ ତୃତୀୟ ଓ ରାଣୀ କାମିଲା ବକିଂହମ୍ ପାଲେସ୍ ବାଲ୍କୋନିରେ ରାଜପରିବାରର ସଦସ୍ୟମାନଙ୍କ ଗହଣରେ ସମବେତ ଜନତାଙ୍କୁ ଅଭିବାଦନ ଜଣାଉଛନ୍ତି । ବାଲ୍କୋନିକୁ ଆସିବା ଲାଗି ପ୍ରିନ୍ସ ହାରିଙ୍କୁ ଡକାଯାଇ ନ ଥିଲା । ସସେକ୍ସର ଡୁ୍ୟକ୍ ପ୍ରିନ୍ସ ହାରି ଉତ୍ସବସ୍ଥଳରେ ତାଙ୍କ ଭାଇ ପ୍ରିନ୍ସ ୱିଲିୟମ୍ଙ୍କଠାରୁ ଦୁଇ ଧାଡି ପଛରେ ବସିଥିଲେ । ଆମେରିକାରେ ରହୁଥିବା ପନôୀ ମେଗନ୍ ଉତ୍ସବରେ ଅନୁପସ୍ଥିତ ଥିଲେ । ଉତ୍ସବ ସରିବା ମାତ୍ରେ ହାରି ଆମେରିକା ଫେରିଯାଇଥିଲେ ।