ସବୁ ବୁଥ୍ରେ ହେବ ୱେବ୍କାଷ୍ଟିଂ

ଝାରସୁଗୁଡ଼ା ଉପନିର୍ବାଚନ
ଭୁବନେଶ୍ୱର, ୬ା୫(ବୁ୍ୟରୋ): ଓଡିଶାରେ ପ୍ରଥମ ଥର ପାଇଁ ସବୁ ବୁଥରେ ହେବ ୱେବ୍କାଷ୍ଟିଂ । ଝାରସୁଗୁଡା ଉପନିର୍ବାଚନରେ ଏହି ବ୍ୟବସ୍ଥା କରାଯିବ । ଯାହାକୁ ମତଦାନ ବେଳେ ସିଧାସଳଖ ନିର୍ବାଚନ ଅଧିକାରୀ ଦେଖିପାରିବେ । ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି । ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିଛି । ଦୁଇଟି ରାଜନୈତିକ ଦଳ ଠାରୁ ଆମେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ପାଇଛୁ । ଜିଲ୍ଲାପାଳ ମଧ୍ୟ ଏଭଳି ଅଭିଯୋଗ ପାଇଛନ୍ତି । ସବୁ ଅଭିଯୋଗର ତଦନ୍ତ ଚାଲିଛି । ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ନିୟମିତ ଆଲୋଚନା କରୁଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କିଶୋର ଧଳ ସୂଚନା ଦେଇଛନ୍ତି ।
ଶନିବାର ସିଇଓ କାର୍ଯ୍ୟାଳୟରେ ଝାରସୁଗୁଡା ଉପନିର୍ବାଚନକୁ ନେଇ ସମୀକ୍ଷା ବୈଠକ ବସିଥିଲା । ବୈଠକ ପରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି, ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଆଇନ୍ଶୃଙ୍ଖଳା ରକ୍ଷା, ନିର୍ବାଚନ-ମଣ୍ଡଳୀର ସବୁ ବୁଥ୍କୁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସାମଗ୍ରୀର ସୁବଣ୍ଟନ, କଳାବୈଶାଖୀ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକ୍ଜିଟ୍ ପୋଲ ଉପରେ ରୋକ୍, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଯଥା-ଷ୍ଟ୍ରଙ୍ଗ୍ରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପନିର୍ବାଚନ ନିମନ୍ତେ ନିଯୁକ୍ତି ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ହମିଦ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ରବିରାଜ ସାହୁ, ରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍୍. ନରୱାଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିଥ୍ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।