କର୍ଣ୍ଣାଟକରେ କଂଗ୍ରେସ ଗଢିÿବ ସରକାର!

ବେଙ୍ଗାଲୁରୁ, ୬ା୫: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ଜୋରସୋର୍ରେ ଚାଲିଛି । ପ୍ରଚାର ୮ ତାରିଖରେ ଶେଷ ହେବ । ଏହାପରେ ୧୦ରେ ହେବ ମତଦାନ । ୨୨୪ ବିଧାନସଭା ଆସନର ଭୋଟ୍ ଫଳାଫଳ ୧୩ ତାରିଖ ଦିନ ଜଣାପଡିବ । ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମୀତ ଶାହା ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରୁଥିବାବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରଚାର ଅଭିଯାନର ପୁରୋଭାଗରେ ଅଛନ୍ତି । ଜନମତ କାହା ସପକ୍ଷରେ ଯିବ ଜାଣିବା ପାଇଁ ଏବିପି ନୁ୍ୟଜ୍ ପାଇଁ ସି-ଭୋଟର ତା’ର ଚୂଡାନ୍ତ ଓପିନିୟନ୍ ପୋଲ୍ ରିପୋର୍ଟ ପ୍ରକାଶ କରିଛି ।
ସି-ଭୋଟରର ପୂର୍ବବର୍ତ୍ତୀ ଦୁଇଟି ସର୍ଭେରେ ରାଜ୍ୟରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳଭାବେ ଉଭା ହେବ ବୋଲି ଜଣାପଡିଥିଲା । ଚୂଡାନ୍ତ ସର୍ଭେରୁ ମଧ୍ୟ ଅନୁରୂପ ତଥ୍ୟ ମିଳିଛି ।
ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୩ । କଂଗ୍ରେସକୁ ୧୧୦ରୁ ୧୨୨ଟି ଆସନ ପାଇ ଏକାକୀ ସରକାର ଗଠନରେ ସକ୍ଷମ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ବିଜେପି ଦ୍ୱିତୀୟ ବୃହତ୍ତମ ଦଳରୂପେ ଉଭା ହୋଇପାରେ । ବିଜେପିକୁ ୭୫ରୁ ୮୮ଟି ଆସନ ମିଳିପାରେ । ଜେଡିଏସ୍ ୨୧ରୁ ୨୯ଟି ଆସନ ଦଖଲ କରିବା ସମ୍ଭାବନା ରହିଛି । ଅନ୍ୟାନ୍ୟ ଦଳ ୨ରୁ ୬ ଆସନରେ ଜିତିବେ ବୋଲି ରିପୋର୍ଟରେ କୁହାଯାଇଛି ।
ସି-ଭୋଟର ପକ୍ଷରୁ କର୍ଣ୍ଣାଟକବାସୀଙ୍କୁ ମୁଡ୍ ଜାଣିବା ପାଇଁ କ୍ରମାଗତ ୧୨ ସପ୍ତାହ ଧରି ସର୍ଭେ କରାଯାଇଥିଲା । ଏହି ସମୟରେ ୭୩,୭୭୪ ଭୋଟରଙ୍କ ମତାମତ ଲୋଡାଯାଇଥିଲା । କର୍ଣ୍ଣାଟକ ବିଧାନସଭାର ସମସ୍ତ ୨୨୪ ନିର୍ବାଚନମଣ୍ଡଳୀରେ ସି-ଭୋଟର ପକ୍ଷରୁ ସର୍ଭେ କରାଯାଇଥିଲା । ଫଳାଫଳରେ ‘ମାର୍ଜିନ୍ ଅଫ୍ ଏରର୍’ ପ୍ଲସ୍ ମାଇନସ୍ ୩ରୁ ପ୍ଲସ୍ ମାଇନସ୍ ୫ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *