ରାଜୌରୀରେ ୫ ଯବାନ ସହିଦ
ଜମ୍ମୁ, ୫ା୫: ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ କଣ୍ଡୀ ଇଲାକାରେ ଶୁକ୍ରବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡଧରଣର ଏନ୍କାଉଣ୍ଟର ହୋଇଛି । ଏଥିରେ ୫ ଯବାନ ସହିଦ ହୋଇଥିବା ବେଳେ ବହୁ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେନା ପକ୍ଷରୁ କୁହାଯାଇଛି, ଏନ୍କାଉଣ୍ଟର ସମୟରେ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଅନ୍ୟ ୩ ଯବାନ ଚିକିତ୍ସା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏଥିରେ ଆଉ କେତେକ ଯବାନ ଆହତ ହୋଇଛନ୍ତି । ଏନ୍କାଉଣ୍ଟରରେ ବହୁ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସେନା ପକ୍ଷରୁ ଦାବି କରାଯାଇଛି । ତେବେ ସେମାନଙ୍କ ସଂଖ୍ୟା ଜାରି କରାଯାଇନାହିଁ । ବିସ୍ଫୋରଣ ପାଇଁ ପାକିସ୍ତାନର ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଛାମୁଆ ସଂଗଠନ ପିଏଏଫ୍ଏଫ୍ ନିଜକୁ ଦାୟୀ କରିଛି ।
କଣ୍ଡୀ ଜଙ୍ଗଲର ଏକ ଗୁମ୍ଫା ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ଆଧାରରେ ୩ ତାରିଖ ଦିନ ସେନା ଓ ପୁଲିସ୍ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ଶୁକ୍ରବାର ସକାଳ ପ୍ରାୟ ସାଢେ ୭ଟା ବେଳେ ଯବାନମାନେ ସେହି ଗୁମ୍ଫାକୁ ଘେରି ଯାଇଥିଲେ । ଗୁମ୍ଫାଟି ଘନ ଜଙ୍ଗଲର ଏକ ଦୁର୍ଗମ ସ୍ଥାନରେ ଅବସ୍ଥାପିତ । ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବାରୁ ସ୍ପେଶାଲ ଫୋର୍ସର ୨ ଯବାନ ଘଟଣାସ୍ଥଳରେ ସହିଦ ହୋଇଥିଲେ । ମେଜର ର୍ୟାଙ୍କ୍ର ଜଣେ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଗୁରୁତରଭାବେ ଆହତ ହୋଇଥିଲେ । ହସ୍ପିଟାଲରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତୁ୍ୟ ହୋଇଥିଲା ।
ଏହାକୁ ମିଶାଇ ୧୫ ଦିନ ଭିତରେ ସେନା ୧୦ ଯବାନଙ୍କୁ ହରାଇଲାଣି । ଗତମାସରେ ଜମ୍ମୁ କ୍ଷେତ୍ରର ଭାଟା ଧୁରିୟାଁ ଇଲାକାରେ ଆତଙ୍କବାଦୀମାନେ ସେନା ଟ୍ରକ୍କୁ ବିସ୍ଫୋରଣରେ ଉଡାଇ ଦେବା ଫଳରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେଥିରେ ସମ୍ପୃକ୍ତ ଆତଙ୍କୀଙ୍କୁ ଧରିବା ପାଇଁ ଗୁଇନ୍ଦା ସୂଚନା ଆଧାରରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ରାଜୌରୀ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।