କେନ୍ଦୁପତ୍ର ହିତାଧିକାରୀଙ୍କୁ ୧୧୧ କୋଟି

ଭୁବନେଶ୍ୱର, ୫ା୫(ବୁ୍ୟରୋ): କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ ।
ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ୱାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ୪୦ ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ୍ଙ୍କୁ ଏହି ସହାୟତା ମିଳିବ । ପ୍ରତ୍ୟେକ ତୋଳାଳିଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣି ବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ । ସେହିପରି ପ୍ରତ୍ୟେକ ବନ୍ଧାଳି ଓ ସିଜନାଲ ଷ୍ଟାଫ୍ଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ । କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ ।
ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ୮୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦୁପତ୍ର ହିତାଧିକାରୀମାନେ, ଯେଉଁମାନେ କି ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର, ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଘୋଷଣା ସହାୟକ ହେବ ।