ଗୁଜରାଟର ସହଜ ବିଜୟ

ଆଇପିଏଲ୍-୧୬ । ୪୮ତମ ମ୍ୟାଚ୍
ଜୟପୁର, ୬ା୫ (ଏଜେନ୍ସି): ରଶିଦ ଖାନ୍ଙ୍କ ନେତୃତ୍ୱରେ ବୋଲର୍ଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ୪୮ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୯ ୱିକେଟ୍ରେ ହରାଇ ସହଜ ବିଜୟ ହାସଲ କରିଛି । ଗୁଜରାଟର ଏହା ୧୦ମ ମ୍ୟାଚ୍ରୁ ସପ୍ତମ ବିଜୟ । ଅନ୍ୟପଟେ, ରାଜସ୍ଥାନର ସମାନ ସଂଖ୍ୟକ ମ୍ୟାଚ୍ରୁ ପଞ୍ଚମ ପରାଜୟ । ରଶିଦ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ ୧୩.୫ ଓଭର୍ରେ ୧ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା । ଏହି ବିଜୟ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ରାଜସ୍ଥାନ ଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । ରିଦ୍ଧିମାନ ସାହା ୩୪ ବଲ୍ରୁ ୪୧ (୫ ଚୌକା ସହାୟତାରେ) ଓ ହାର୍ଦ୍ଦିକ ୧୫ ବଲ୍ରୁ ୩୯ (୩ ଲେଖାଏଁ ଚୌକା ଓ ଛକା ସହାୟତାରେ) ରନ୍ କରି ଅପରାଜିତ ଥିଲେ ।
ସାହା ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ୫୮ ବଲ୍ରୁ ୭୧ ରନ୍ର ଭାଗୀଦାରୀ କରିଥିଲେ । ଶୁଭମନ ୩୬ ରନ୍ କରି ଯୁଜବେନ୍ଦ୍ର ଚହଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହା ପୂର୍ବରୁ ରାଜସ୍ଥାନ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ରେ ଜାସନ୍ ହୋଲ୍ଡର୍ଙ୍କ ସ୍ଥାନରେ ଆଦାମ ଜମ୍ପା ପ୍ରତ୍ୟାବର୍ତ୍ତନ କରିଥିଲେ । ଅନ୍ୟପଟେ, ଗୁଜରାଟ ଟିମ୍ ଅପରିବର୍ତ୍ତିତ ରହିଥିଲା ।
ରାଜସ୍ଥାନ ଟିମ୍ ୧୭.୫ ଓଭର୍୍ରେ ମାତ୍ର ୧୧୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଚଳିତ ସିଜନ୍ର ଏହା ସର୍ବନିମ୍ନ ସ୍କୋର୍ । ଏହା ପୂର୍ବରୁ ଲକ୍ଷ୍ନୌ ଠାରେ ଏପ୍ରିଲ୍ ୭ରେ ଲିଗ୍ର ୧୦ମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦ ୧୨୧ ରନ୍ ସ୍କୋର୍ କରିଥିଲା । ଦ୍ୱିତୀୟ ଇନିଂସ୍ କଥା ବିଚାରକୁ ନେଲେ, ଲକ୍ଷ୍ନୌ ଟିମ୍ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୧୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
ରାଜସ୍ଥାନ ଟିମ୍ ପକ୍ଷରୁ ସଞ୍ଜୁ ସାମ୍ସାନ୍ ସର୍ବାଧିକ ୩୦ ରନ୍ କରିଥିଲେ । ବିପକ୍ଷ ବୋଲର୍ ରଶିଦ୍ ଖାନ୍ ୧୪ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ନୂର୍ ଅହମଦ ୨ ଏବଂ ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜୋଶ୍ ଲିଟିଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ମାତ୍ର ୧୧ ରନ୍ରେ ଟିମ୍ର ଓପନିଂ ଯୋଡ଼ି ଭାଙ୍ଗିଥିଲା । ଜୋସ୍ ବଟ୍ଲର୍ ୮ ରନ୍ କରି ହାର୍ଦ୍ଦିକଙ୍କ ବଲ୍ରେ ପ୍ୟାଭିଲିଅନ୍ ଫେରିଥିଲେ । ଅନ୍ୟତମ ଓପନର୍ ଯଶସ୍ୱୀ ଜୟସ୍ୱାଲ୍ ୧୪ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ସଞ୍ଜୁ (୨୦ ବଲ୍ରେ ୩୦ ରନ୍)ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଲିଟିଲ୍ । ୬୦ ରନ୍ରେ ତୃତୀୟ ୱିକେଟ୍ ପଡ଼ିଥିଲା । ଏହା ସହିତ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ଏହାପରେ ୫୮ ରନ୍ ମଧ୍ୟରେ ଅବଶିଷ୍ଟ ୭ ୱିକେଟ୍ ପଡ଼ିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ ୨, ରିୟାନ୍ ପରାଗ ୪, ଦେବଦତ୍ତ ପଡ୍ଡିକଲ ୧୨, ଧ୍ରୁବ ଜୁରେଲ ୯, ଶିମରନ୍ ହେଟ୍ମାୟର ୭, ଟ୍ରେଣ୍ଟ ବୋଲ୍ଟ ୧୫, ଜମ୍ପା ୭ ରନ୍ କରି ଆଉଟ୍ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *