ଓଡିଶା ପାଇଁ ସତର୍କ ସୂଚନା ନାହିଁ
ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ କଲା ଆଇଏମ୍ଡି
ଭୁବନେଶ୍ୱର, ୫ା୫(ବୁ୍ୟରୋ): ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ‘ମୋଚା’କୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି । ଏହା ଅତି ଭୀଷଣ ସାମୁଦ୍ରିକ ଝଡ ରୂପ ନେଇପାରେ ବୋଲି ପ୍ରାୟ ସମସ୍ତ ମଡେଲରେ ଆକଳନ କରାଯାଇଛି । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳି ଥାଏ, ତେବେ ବର୍ତ୍ତମାନର ଚିତ୍ର ଦର୍ଶାଉଛି ଯେ ସମ୍ଭାବ୍ୟ ବାତ୍ୟା ମିଆଁମାର୍ ମୁହାଁ ହୋଇପାରେ ।
ଲଗାତାର ଗତ କିଛି ବର୍ଷ ଧରି ମେ’ ମାସରେ ଓଡିଶାକୁ ବାତ୍ୟା ଆସୁଥିବାରୁ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ରାଜ୍ୟବାସୀ ନାନା ଆଶଙ୍କା ମଧ୍ୟରେ ଅଛନ୍ତି । ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଓଡିଶା ପାଇଁ କୌଣସି ସତର୍କ ସୂଚନା ଜାରି ହୋଇନଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଶନିବାରଠାରୁ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ଧୀରେ ଧୀରେ ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିବ । ତେବେ ବର୍ତ୍ତମାନ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିନାହିଁ । ବର୍ତ୍ତମାନ ସୁଦ୍ଧା ଓଡିଶା ଉପରେ ଏହାର ପ୍ରଭାବ ନାହିଁ ବୋଲି ଦୋହରାଇଛନ୍ତି ଆଇଏମ୍ଡି ଡିଜି ।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହୋଇଯାଇଛି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘଡଘଡି, ବିଜୁଳି ସାଙ୍ଗକୁ ବର୍ଷା ହୋଯାଇଛି । ଖୋର୍ଦ୍ଧା, ଯାଜପୁର, ନୂଆପଡା, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ହୋଇଥିବା ଜଣାପଡିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ଦିନର ତାପମାତ୍ର ବୃଦ୍ଧି ହେବା ସାଙ୍ଗକୁ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହି ଗୁଳୁଗୁଳି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।