ରଘୁନାଥ ମୁର୍ମୁଙ୍କ ସମାଧି ପୀଠର କାୟାକଳ୍ପ

ବାରିପଦା, ୪ା୫ (ଆପ୍ର): ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସାନ୍ତାଳୀ ସମାଜ ଏବଂ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନ ସର୍ବଜନବିଦିତ । ସେ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳୀ ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି । ସାନ୍ତାଳୀ ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ୱୀକୃତି ପାଇଛି ।
ସାନ୍ତାଳୀ ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି । ତାଙ୍କର କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳୀ ସମାଜ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି । ସାନ୍ତାଳୀ ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି । ପଣ୍ଡିତ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି । ସାନ୍ତାଳୀ ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ମାର୍ଚ୍ଚ ୨ ଓ ୩ ତାରିଖ ଦିନ ଧରି ମୟୂରଭଞ୍ଜ ଗସ୍ତରେ ଯାଇଥିବା ବେଳେ ଦାଣ୍ଡବୋସ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ପରିଦର୍ଶନ କରିଥିଲେ ଏବଂ ବାରିପଦାସ୍ଥିତ ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ମଧ୍ୟ ଯାଇଥିଲେ । ତାଙ୍କ ସ୍ମୃତିପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ସାନ୍ତାଳୀ ଭାଇଭଉଣୀଙ୍କ ସହ ଆଲୋଚନା ବେଳେ ପ୍ରତିଶ୍ରୁତି ଦେବା ପରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
ପଣ୍ଡିତ ମୁର୍ମୁଙ୍କ ସମାଧି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ତଦନୁଯାୟୀ ଦାଣ୍ଡବୋସ-କାପିବୁରୁ ଠାରେ ପଣ୍ଡିତ ମୁର୍ମୁଙ୍କର ସମାଧୀ ପୀଠର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଆଉ ୭୫ ଲକ୍ଷ ଟଙ୍କା ଖର୍ଚ୍ଚରେ ସେଠାରେ ଧ୍ୟାନକେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଏହାଛଡା କାପିବୁରୁର ପାଚେରି ଓ ସଂଯୋଗ ରାସ୍ତାର ବିକାଶ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ଥିବା ବେଳେ ସେଠାରେ ଏକ ଅଡିଟୋରିୟମ ଓ ଗବେଷଣା କେନ୍ଦ୍ର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେଠାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । କାପିବୁରୁର ସୌନ୍ଦର୍ଯୀକରଣ ଓ ସ୍ୱାଗତ ତୋରଣ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଦାଣ୍ଡବୋସ, ବିଦୁ ·ନ୍ଦାନ ବାହାଗାଳର ବିକାଶ ତଥା ମାରାଙ୍ଗ-ଆହାରା ପୁଷ୍କରିଣୀ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପାନୀୟ ଜଳ ଓ ବିଦୁ୍ୟତୀକରଣ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍ଥିର ହୋଇଛି । ୫-ଟି ଉପକ୍ରମରେ ଏ ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ସଂପାଦନ କରାଯିବ । ଖୁବଶୀଘ୍ର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *