ଜନ୍ମମାଟି ପ୍ରତି ଚିରଋଣୀ
୩ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି
ରାଇରଙ୍ଗପୁରରେ ଭବ୍ୟ ନାଗରିକ ସମ୍ବର୍ଦ୍ଧନା
ପିଲା ଓ ପରିବାରବର୍ଗଙ୍କ ସହ ଭାବବିନିମୟ କଲେ
ପ୍ରୋଟକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଲେ
ବାରିପଦା, ୪ା୫(ଆପ୍ର): ଗୁରୁବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶାଶୂଘର ପାହାଡପୁର ଗ୍ରାମବାସୀ ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ ସ୍ୱାଗତ କରିଛନ୍ତି । ଗାଁ ବୋହୂଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବାର ୧୧ ମାସ ପରେ ଦେଖି ଗ୍ରାମବାସୀ ଖୁସିରେ ବିଭୋର ହୋଇ ପଡିଥିଲେ । ଅତି ନିକଟରୁ ତାଙ୍କୁ ଦେଖି ପାହାଡପୁର ମାଟିକୁ ଗୌରବ ମିଳିଛି ବୋଲି ସେମାନେ ପ୍ରକାଶ କରିଥିଲେ ।
ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ନ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ, ଆଜି ମୁଁ ଯାହା ପାଇଛି, ତାହା ଆପଣମାନଙ୍କ ଯୋଗୁଁ ପାଇଛି । ଏ ମାଟି ପାଖରେ ସବୁଦିନ ଋଣୀ ହୋଇ ରହିବି ।
ଦିନ ୧୦ଟା ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡସ୍ଥିତ ଦିଘିଆବେଡା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ଓ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ଏବଂ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ରାଷ୍ଟ୍ରପତି ସଡ଼କ ପଥରେ ଆସି ପାହାଡପୁରରେ ପହଞ୍ଚିଥିଲେ । ପ୍ରଥମେ ଗାଁ ମୁଣ୍ଡରେ ଥିବା ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ । ପରେ ଗୋଷାଣୀରେ ପହଞ୍ଚିି ଦିଅଁ ଦର୍ଶନ କରିଥିଲେ ।
ଦିବଂଗତ ସ୍ୱାମୀ ଓ ଦୁଇପୁତ୍ରଙ୍କ ଉଦେ୍ଦଶ୍ୟରେ ନିର୍ମିତ ଏସ୍ଏଲ୍ଏସ୍ ଆବାସିକ ବିଦ୍ୟାଳୟରେ ପହଞ୍ଚିି ରାଷ୍ଟ୍ରପତି ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନଙ୍କ ସହ ଭାବବିନିମୟ କରିଥିଲେ ଏବଂ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିଥିଲେ । ଗୁରୁବାର ପାହାଡପୁର ଗ୍ରାମ ଲୋକାରଣ୍ୟ ହୋଇପଡିଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ନୃତ୍ୟ, ଗୀତ ଓ ବାଦ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଦିଘିଆବେଡାଠାରେ ସେ ପ୍ରୋଟକଲ ଭାଙ୍ଗି ଉପସ୍ଥିତ ଜନତାଙ୍କ ପାଖକୁ ଯାଇ କରମର୍ଦ୍ଦନ କରିବା ସହ କୁନି କୁନି ପିଲାଙ୍କୁ ଚକଲେଟ ଦେଇଥିଲେ । ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ନିର୍ମିତ ହେବାକୁ ଥିବା କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବା ପରେ ନାବାର୍ଡ ଦ୍ୱାରା ନିର୍ମାଣ କରାଯିବାକୁ ଥିବା ଏସ୍ଏଲ୍ଏସ ସ୍କୁଲରେ କମୁ୍ୟନିଟି ସେଣ୍ଟର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଛତୁ ·ଷ କରି ସ୍ୱାବଲମ୍ବୀ ହେବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇ ମହିଳା ଯମୁନା ମୁର୍ମୁ ଓ ମିଲୁ ମୁର୍ମୁଙ୍କୁ ଛତୁ ମଞ୍ଜି ଏବଂ ବୃକ୍ଷ ରୋପଣ କରି ସ୍ୱାବଲମ୍ବୀ ହେବା ଲାଗି ବ୍ରଜ ମୋହନ ମୁର୍ମୁ ଓ ତାଙ୍କ ସାଥୀଙ୍କୁ ଚାରା ପ୍ରଦାନ କରିଥିଲେ । ଏହା ପରେ ଏସ୍ଏଲ୍ଏସ୍ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନୃତ୍ୟଗୀତରେ ତାଙ୍କର ଅତିପ୍ରିୟ ଦିଦିଙ୍କୁ ପାଛୋଟି ନେଇଥିଲେ । ବିଦ୍ୟାଳୟକୁ ଯାଇ ସ୍ୱାମୀ ଶ୍ୟାମ ଚରଣ ଓ ଦୁଇପୁତ୍ର ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଗ୍ରାମବାସୀ, ସ୍କୁଲ ପରିଚଳାନା ସମିତି, ଶିକ୍ଷକ-ଶିକ୍ଷୟିତ୍ରୀ, ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କ ସହିତ ରାଷ୍ଟ୍ରପତି ସମୟ ଅତିବାହିତ କରିଥିଲେ ।
ହାଟବାଦଡା ସ୍ଥିତ ସାତପଉଟିଆରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ସେଣ୍ଟରକୁ ଯାଇ ରାଷ୍ଟ୍ରପତି ଏଡିକ୍ସନ ଫ୍ରି ଓଡ଼ିଶା ସେଣ୍ଟର ଉଦ୍ଘାଟନ କରିଥିଲେ । ରାଇରଙ୍ଗପୁର ସ୍ଥିତ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବା ପରେ ଅପରାହ୍ଣରେ ସୁନାରାମ ସୋରେନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ବଡ଼ବନ୍ଧ ଠାରେ ଶହେ ଫୁଟର ଜାତୀୟ ପତାକାକୁ ଉଡାଇବା ପରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ରାଇରଙ୍ଗପୁର ମୁ୍ୟନିସିପାଲିଟି ଅଫିସ ପରିଦର୍ଶନରେ ଯାଇ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ସନ୍ଧ୍ୟାରେ ରାଷ୍ଟ୍ରପତି ମହୁଲଡିହା ବଙ୍ଗଳାରେ ପହଂଚିବା ପରେ ଘଣ୍ଟାଏ କାଳ ଅଂଚଳବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ରାଇରଙ୍ଗପୁରର ମହୁଲଡିହା ସ୍ଥିତ ନିଜ ବାସଭବନ ଠାରେ ରାତ୍ରି ଭୋଜନ ପରେ ବିଶ୍ରାମ ନେଇଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରୋଟୋକଲ୍ ଅନୁଯାୟୀ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ପ୍ଲାଟୁନ ରିଜର୍ଭ ଫୋର୍ସ ମୁତୟନ ହୋଇଛନ୍ତି ।