୩୫୯ ରୂପାନ୍ତରିତ ସ୍କୁଲ୍ ଲୋକାର୍ପିତ
୫-ଟି ସ୍କୁଲ୍ ରୂପାନ୍ତରଣର ଚତୁର୍ଥ ଦିନ
ଭୁବନେଶ୍ୱର (ବୁ୍ୟରୋ ) : ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି । ଏହା ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ସ୍କୁଲ ରୂପାନ୍ତର ୩ୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଗୁରୁବାର ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରୀତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଭଦ୍ରକ ଜିଲ୍ଲାର ୧୨୪, କନ୍ଧମାଳ ଜିଲ୍ଲାର ୭୭, ଢେଙ୍କନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲକୁ ମିଶାଇ ୧୪୯୩ ରୂପାନ୍ତରୀତ ହାଇସ୍କୁଲ ଲୋକାର୍ପିତ ହେଲା । ତିନି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ମୋଟ ୬୧୩୨ଟି ସ୍କୁଲ ରୂପାନ୍ତରୀତ ହେବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲଗୁଡିକର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ୫-ଟିର ଉପଯୋଗ ସଂପର୍କରେ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି । ପିଲାମାନେ ଏହାର ସୁଯୋଗ ନେଇ ପ୍ରତିଭାର ପରିଚୟ ପ୍ରଦାନ କଲେ ଓଡିଶାର ଗୌରବ ବୃଦ୍ଧି ହେବ । ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ଭଦ୍ରକର ଛାତ୍ରୀ ଆୟୁଷା ମଲ୍ଲିକ, କନ୍ଧମାଳର ପ୍ରମୋଦିନୀ ନାୟକ, ଢେଙ୍କାନାଳର ଭାଗ୍ୟଶ୍ରୀ ବେହେରା, ଗଜପତିର ମମତା ଗମାଙ୍ଗ ଓ ସୁବର୍ଣ୍ଣପୁରର ବର୍ଷା ସାହୁ ପ୍ରମୁଖ କହିଲେ ଯେ ଆମେ ପଢିବୁ, ବଢିବୁ ଓ ସବୁ କ୍ଷେତ୍ରରେ ଶ୍ରେଷ୍ଠ ହାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବୁ । ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ, ସେମାନଙ୍କ ସାକାର ହେବା ଆହୁରି ସହଜ ହୋଇଛି ବୋଲି ସେମାନେ କହିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭିକେ ପାଣ୍ଡିଆନ କହିଥିଲେ ଯେ, ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ସୃଷ୍ଟି ହୋଇଛି, ସେ ସବୁ ସାରା ଓଡିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି । ଆପଣମାନେ ନିଜର ସମ୍ପତ୍ତି ଭଳି ସ୍କୁଲର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ବୋଲି ସେ କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା- ସଚିବ ଅଶ୍ୱଥୀ ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ।