ମଣିପୁରରେ ସୁଟ୍-ଆଟ୍-ସାଇଟ୍
ଆଦିବାସୀ- ଅଣଆଦିବାସୀ ଦଙ୍ଗା
ଇମ୍ଫାଲ୍, ୪ା୫: ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ଦଙ୍ଗା ଦମନ ପାଇଁ ରାଜ୍ୟ ସରକାର ଗୁରୁବାର ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ଆଦେଶ ଦେଇଛନ୍ତି । ରାଜ୍ୟର ୮ଟି ଜିଲ୍ଲାରେ କର୍ଫୁ୍ୟ ଜାରି ସହ ୫ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ଆର୍ମି ଓ ଆସାମ ରାଇଫଲ୍ସର ୫୫ କଲମ୍ ମୁତୟନ କରାଯାଇଛି । ଏହାବାଦ୍ କେନ୍ଦ୍ର ସରକାର ର୍ୟାପିଡ୍ ଆକ୍ସ ଫୋର୍ସର ୫ କମ୍ପାନୀକୁ ବିମାନ ଯୋଗେ ଇମ୍ଫାଲ ପଠାଇଛନ୍ତି । ଆଉ ୧୫ ଜେନେରାଲ୍ ଡୁ୍ୟଟି କମ୍ପାନୀକୁ ମଧ୍ୟ ମଣିପୁରରେ ମୁତୟନ ପାଇଁ ପ୍ରସ୍ତୁତ କରି ରଖାଯାଇଛି । ଯବାନମାନେ ହିଂସାକାଣ୍ଡ ଇଲାକାରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ୯୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂହଙ୍କ ସହ କଥା ହୋଇଛନ୍ତି ।
ନିଖିଳ ଭାରତ ଆଦିବାସୀ ଛାତ୍ର ସଂଘ ପକ୍ଷରୁ ବୁଧବାର ଟ୍ରାଇବାଲ୍ ସଲିଡାରିଟି ମାର୍ଚ୍ଚ ଆହ୍ୱାନ ଦିଆଯାଇଥିଲା । ସେଥିରେ ହଜାର ହଜାର ଲୋକ ଭାଗ ନେଇଥିଲେ । ଏହି ଅବସରରେ ଆଦିବାସୀ ଓ ଅଣ ଆଦିବାସୀମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପ୍ରଥମେ ଟିୟର୍ ଗ୍ୟାସ୍ ପ୍ରୟୋଗ କରିଥିଲା । ତାହା ବିଫଳ ହେବାରୁ ସେନା ଓ ଆସାମ ରାଇଫଲ୍ସକୁ ଡକାଗଲା । ଇମ୍ଫାଲ୍ ପଶ୍ଚିମ, ଜିରିବାମ, ବିଷ୍ଣୁପୁର, ଚୂଡାଚନ୍ଦ୍ରପୁର ଆଦି ୮ ଜିଲ୍ଲାରେ ଅବିଳମ୍ବେ କର୍ଫୁ୍ୟ ଲାଗୁ କରାଗଲା । ଅଣ ଆଦିବାସୀ ମୈତେଈ ସମ୍ପ୍ରଦାୟର ଏସ୍ଟି ମାନ୍ୟତା ଦାବିକୁ
ଆଦିବାସୀମାନେ ବିରୋଧ କରି ଆସୁଛନ୍ତି । ମଣିପୁର ହାଇକୋର୍ଟ ମୈତେଇ ସମ୍ପ୍ରଦାୟର ଦାବି ବିଚାର କରି ୪ ମାସ ଭିତରେ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିବା ପାଇଁ ଆଦେଶ ଦେବା ପରେ ଦୁଇ ସମ୍ପ୍ରଦାୟ ଭିତରେ ତୁମୁଳ ସଂଘର୍ଷ ଘଟି ଦଙ୍ଗାରୂପ ନେଇଛି ।
ମଣିପୁରରେ ମୈତେଈ ସମ୍ପ୍ରଦାୟର ଜନସଂଖ୍ୟା ମୋଟ୍ ଜନସଂଖ୍ୟାର ୫୩%ରୁ ଅଧିକ । ୧୦ ବର୍ଷ ହେବ ସେମାନେ ଅନୁସୂଚିତ ଜନଜାତି ମାନ୍ୟତା ଦାବି କରିଆସୁଛନ୍ତି ।