କୋଲକାତାର ରୋମାଞ୍ଚକ ବିଜୟ
ଆଇପିଏଲ୍-୧୬ । ୪୭ତମ ମ୍ୟାଚ୍
ହାଇଦରାବାଦ, ୪ା୫ (ଏଜେନ୍ସି): କୋଲକାତା ନାଇଟ୍ ରାଇଡର୍ସ ଗୁରୁବାର ଚଳିତ ଆଇପିଏଲ୍ର ୪୭ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୫ ରନ୍ରେ ହରାଇ ରୋମାଞ୍ଚକ ବିଜୟ ହାସଲ କରିଛି । କୋଲକାତାର ଏହା ୧୦ମ ମ୍ୟାଚ୍ରୁ ଚତୁର୍ଥ ବିଜୟ ।
ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୬୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଅଧିନାୟକ ଏଡେନ୍ ମାର୍କ୍ରମ ସର୍ବାଧିକ ୪୧, ହିନ୍ରିଚ୍ କ୍ଲାସେନ୍ ୩୬ ରନ୍ କରିଥିଲେ । ବିପକ୍ଷ ବୋଲର୍ ବୈଭବ ଆରୋରା ଓ ଶାର୍ଦ୍ଦୂଳ ୨ ଲେଖାଏଁ ୱିକେଟ୍ ନେଇଥିଲେ ।
ଟିମ୍ର ଓପନିଂ ଯୋଡ଼ି ୨୯ ରନ୍ରେ ଭାଙ୍ଗିଥିଲା । ମୟଙ୍କ ଅଗ୍ରୱାଲ ୧୮ ରନ୍ କରି ହର୍ଷିତ ରାଣାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ଅଭିଷେକ ୮ ରନ୍ କରି ଶାର୍ଦ୍ଦୂଳ ଠାକୁରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପାୱାରପ୍ଲେ ମଧ୍ୟରେ ଟିମ୍ ଆଉ ଏକ ୱିକେଟ୍ ହରାଇଥିଲା । ରାହୁଲ ତ୍ରିପାଠୀ (୨୦)ଙ୍କ ୱିକେଟ୍ ଆନେ୍ଦ୍ର ରସେଲ୍ଙ୍କ ଖାତାକୁ ଯାଇଥିଲା । ଏହାପରେ ହାରୀ ବ୍ରୁକ୍ କୌଣସି ସ୍କୋର୍ ନ କରି ଅନୁକୁଳ ରୟଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହା ପୂର୍ବରୁ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ କୋଲକାତାର ଅଧିନାୟକ ନୀତୀଶ ରାଣା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଉଭୟ ଟିମ୍ରେ ଦୁଇଟି ଲେଖାଏଁ ପରିବର୍ତ୍ତନ କରାଯାଇଥିଲା । ଜାସନ୍ ରୟ ଓ ବୈଭବ ଆରୋରା ଟିମ୍କୁ ଫେରିଥିଲେ । ଡେଭିଡ୍ ୱିଜ୍ ଓ ନାରାୟଣ ଜଗଦୀଶନ ବାଦ୍ ପଡ଼ିଥିଲେ । କୋଲକାତା ଟିମ୍ରେ ସୂୟଶ ଶର୍ମା ଇମ୍ପାକ୍ଟ ଖେଳାଳି ଭାବେ ଦ୍ୱିତୀୟ ଇନିଂସ୍ରେ ସାମିଲ୍ ହୋଇଥିଲେ । ହାଇଦରାବାଦ ଟିମ୍ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ଏହି ସିଜନ୍ର ପ୍ରଥମ ମ୍ୟାଚ୍ ଖେଳିଥିଲେ । ଟିମ୍ରେ ମାର୍କୋ ଜାନ୍ସେନ୍ଙ୍କ ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଥିଲା । ରାହୁଲ ତ୍ରିପାଠୀ ଦ୍ୱିତୀୟ ଇନିଂସ୍ରେ ଇମ୍ପାକ୍ଟ ଖେଳାଳି ଭାବେ ଟିମ୍ର ଅଂଶବିଶେଷ ହୋଇଥିଲେ ।
କୋଲକାତା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ କରିଥିଲେ । ବିପକ୍ଷ ବୋଲର୍ ମାର୍କୋ ଜାନ୍ସେନ୍ ଓ ଟି. ନଟରାଜନ୍ ୨ ଲେଖାଏଁ ଏବଂ ଭୁବନେଶ୍ୱର କୁମାର, କାର୍ତ୍ତିକ ତ୍ୟାଗୀ, ଏଡେନ୍ ମାର୍କ୍ରମ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୬ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ରୟ ଓ ରହମାନୁଲ୍ଲା ଗୁରବାଜ୍ଙ୍କ ଓପନିଂ ଯୋଡ଼ି ମାତ୍ର ୮ ରନ୍ରେ ଭାଙ୍ଗିଥିଲା । ଦ୍ୱିତୀୟ ଓଭର୍ରେ ଗୁରବାଜ୍ ଖାତା ଖୋଲି ନ ପାରି ଜାନ୍ସେନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପରବର୍ତ୍ତୀ ବ୍ୟାଟର୍ ଭେଙ୍କଟେଶ ଆୟର (୭) ବି ଜାନ୍ସେନ୍ଙ୍କ ଶିକାର ହୋଇଥିଲେ ।
ଏହାପରେ ରୟଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଅଧିନାୟକ ନୀତୀଶ ରାଣା । କିନ୍ତୁ ରୟଙ୍କ ଇନିଂସ୍ ବେଶୀ ବାଟ ଯାଇ ନ ଥିଲା । ସେ ୨୦ ରନ୍ କରି କାର୍ତ୍ତିକ ତ୍ୟାଗୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
୩୫ ରନ୍ରେ ୩ ୱିକେଟ୍ ପଡ଼ିବା ପରେ ନୀତୀଶ ଓ ରିଙ୍କୁ ସ୍ଥିତି ସମ୍ଭାଳିଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୬୧ (୪୦ ବଲ୍ରୁ) ରନ୍ର ଭାଗୀଦାରୀ କରିଥିଲେ । ନୀତୀଶ (୩୧ ବଲ୍ରୁ ୪୨) ଏଡେନ୍ ମାର୍କ୍ରମଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରସେଲ୍ ୨୪ ରନ୍ କରି ମାର୍କଣ୍ଡେଙ୍କ ଶିକାର ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ନରିନ୍ ୧, ଶାର୍ଦ୍ଦୂଳ ୮, ରିଙ୍କୁ ୩୫ ବଲ୍ରୁ ୪୬ ଓ ହର୍ଷିତ ରାଣା ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ । ଅନୁକୁଳ ରାୟ ୧୩ ଓ ବୈଭବ ଆରୋରା ୨ ରନ୍ କରି ଅପରାଜିତ ଥିଲେ ।