ପ୍ରକାଶ ରାଓଙ୍କୁ ମନେ ପକାଇଲେ
ଭୁବନେଶ୍ୱର, ୩୦ା୪(ବୁ୍ୟରୋ): ମନ୍ କୀ ବାତ୍ର ରବିବାର ୧୦୦ତମ ଏପିସୋଡ୍ରେ କଟକର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଚା ବିକ୍ରି କରି କିଭଳି ଲୋକଙ୍କ ସେବା କରୁଥିଲେ, ସେ କଥା ମନେ ପକାଇବା ସହ ‘ଆଶା ଓ ଆଶ୍ୱାସନା’ ନାମକ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗରିବ ପିଲାମାନଙ୍କୁ ଶିକ୍ଷିତ କରାଇବାରେ ପ୍ରକାଶଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୨୧ ଜାନୁୟାରୀ ୧୩ରେ ଡି. ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଥିଲା । ଏହି ରେଡିଓ କାର୍ଯ୍ୟକ୍ରମର ୧ଠଠତମ ଏପିସୋଡ୍ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମନ୍ କୀ ବାତ୍ ଲଣ୍ଡନ ଓ ଆମେରିକାରେ ମଧ୍ୟ ପ୍ରସାରିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମରଣ କରିଥିଲେ । ସେ କହିଥିଲେ, ୨୦୧୪ ଅକ୍ଟୋବର ୩ ତାରିଖ ଥିଲା ବିଜୟା ଦଶମୀ । ସେହିଦିନଠାରୁ ଆରମ୍ଭ ହୋଇଥିଲା ମନ୍ କୀ ବାତ୍ର ଯାତ୍ରା । ଆଜି ଏହା ଏକ ପର୍ବ ହୋଇଯାଇଛି ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କୁ ମୁଁ ମନ କଥା ବ୍ୟକ୍ତ କରିଥିବା ପୃଥିବୀସାରା ଚର୍ଚ୍ଚା ହୋଇଥିଲା । ଏହା ମାଧ୍ୟମରେ ମୁଁ ଅନ୍ୟର ଗୁଣଗାନ କରିଆସିଛି । ମନ୍ କୀ ବାତ୍ ଈଶ୍ୱରରୂପୀ ଜନତାଙ୍କ ଚରଣରେ ପ୍ରସାଦର ଥାଳି ଭଳି । କୋଟି କୋଟି ଜନତାଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇପାରିଥିବାରୁ ମୋ ପାଇଁ ଏକ ଆଧ୍ୟାତ୍ମିକ ଯାତ୍ରା ହୋଇଛି । ଏହା ଅହମ୍ରୁ ବୟମ୍ ପର୍ଯ୍ୟନ୍ତ ଯାତ୍ରା ।