ଶେଷ ବଲ୍ରେ ଜିତିଲା ପଞ୍ଜାବ

ଚେନ୍ନାଇ, ୩୦ା୪ (ଏଜେନ୍ସି): ପଞ୍ଜାବ କିଙ୍ଗ୍ସ ରବିବାର ଚଳିତ ଆଇପିଏଲ୍ର ୪୧ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ୪ ୱିକେଟ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶିଖର ଧାବନ୍ଙ୍କ ଟିମ୍ ଶେଷ ବଲ୍ରେ ମ୍ୟାଚ୍ ଜିତିଛି । ଏହା ଟିମ୍ର ନବମ ମ୍ୟାଚ୍ରୁ ପଞ୍ଚମ ବିଜୟ, ଅନ୍ୟପଟେ ଚେନ୍ନାଇର ଏହା ସମାନସଂଖ୍ୟକ ମ୍ୟାଚ୍ରୁ ଚତୁର୍ଥ ପରାଜୟ ।
ଚେନ୍ନାଇ ଟିମ୍ ୨୦୦ ବା ଏହାଠାରୁ ଅଧିକ ସ୍କୋର୍କୁ ଡିଫେଣ୍ଡ କରିବା ସମୟରେ ପ୍ରଥମ ଥର ପରାଜିତ ହୋଇଛି । ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଏ ଯାବତ ୨୮ ମ୍ୟାଚ୍ ଖେଳାଯାଇଥିବା ବେଳେ ପଞ୍ଜାବ ୧୩ତମ ମ୍ୟାଚ୍ ଜିତିଛି । ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ ପାଇଁ ଚେନ୍ନାଇର ଡେଭନ୍ କନୱେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ପଞ୍ଜାବ ଟିମ୍ ପୂରା ୨୦ ଓଭର୍ ଖେଳି ୬ ୱିକେଟ୍ ହରାଇ ୨୦୧ ରନ୍ କରି ବିଜୟୀ ହୋଇଥିଲା । ଶେଷ ବଲ୍ରେ ବିଜୟ ପାଇଁ ୩ ରନ୍ ଆବଶ୍ୟକ ଥିଲା । ମହୀଶା ପାଥିରାନାଙ୍କ ବଲ୍ରେ ସିକନ୍ଦର ରାଜା ଆବଶ୍ୟକ ସ୍କୋର୍ କରି ଟିମ୍କୁ ଜିତାଇଥିଲେ ।
ପ୍ରଭସିମରନ୍ ସିଂହ ଓ ଅଧିନାୟକ ଶିଖର ଧାବନ୍ ଓପନିଂ ୱିକେଟ୍ରେ ୫୦ ରନ୍ର ଭାଗୀଦାରୀ କରିଥିଲେ । ଧାବନ୍ ୨୮ ରନ୍ କରି ତୁଷାର ଦେଶପାଣ୍ଡେଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ପ୍ରଭସିମରନ୍ ସିଂହ ୨୪ ବଲ୍ରୁ ୪୨ ରନ୍ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅଥର୍ବ ତାଇଦେ (୧୩)ଙ୍କ ୱିକେଟ୍ ଜାଡ଼େଜାଙ୍କ ଖାତାକୁ ଯାଇଥିଲା ।
ଏହାପରେ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ଓ ସାମ୍ କରାନ୍ଙ୍କ ଯୋଡ଼ି ଚତୁର୍ଥ ୱିକେଟ୍ ପାଇଁ ୫୭ ରନ୍ ଯୋଗ କରିଥିଲେ । ଲିଭିଙ୍ଗ୍ଷ୍ଟୋନ୍ ୨୪ ବଲ୍ରୁ ୪୦ ରନ୍ କରି ତୁଷାରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । କରାନ୍ (୨୯)ଙ୍କୁ ପାଥିରାନା ଆଉଟ୍ କରିଥିଲେ । ଜିତେଶ ଶର୍ମା (୨୧)ଙ୍କୁ ଆଉଟ୍ କରି ତୁଷାର ତୃତୀୟ ସଫଳତା ପାଇଥିଲେ । ରାଜା ୭ ବଲ୍ରୁ ୧୩ ଓ ଶାହରୁଖ ଖାନ୍ ୨ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା । ଓପନର୍ କନୱେ ୫୨ ବଲ୍ରୁ ୯୨ ରନ୍ କରି ଅପରାଜିତ ଥିଲେ । ତାଙ୍କ ଇନିଂସ୍ରେ ୧୬ ଚୌକା ଓ ୧ ଛକା ରହିଥିଲା ।
ଋତୁରାଜ ଗାଏକୱାଡ଼ ଓ କନୱେ ଓପନିଂ ଯୋଡ଼ିରେ ୫୮ ବଲ୍ରୁ ୮୬ ରନ୍ର ଧୂଆଁଦାର ଭାଗୀଦାରୀ କରିଥିଲେ । ଋତୁରାଜ ୩୧ ବଲ୍ରୁ ୩୭ ରନ୍ କରି ରାଜାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ କନୱେ ନୂଆ ବ୍ୟାଟର୍ ଶିବମ୍ ଦୁବେଙ୍କ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୪୪ ରନ୍ ଯୋଗ କରିଥିଲେ । ମୋଇନ୍ ଅଲୀ ୧୦ ରନ୍ କରି ରାହୁଲ ଚାହରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ରବୀନ୍ଦ୍ର ଜାଡ଼େଜା (୧୨)ଙ୍କ ୱିକେଟ୍ କରାନ୍ଙ୍କ ଖାତାକୁ ଯାଇଥିଲା । କନୱେ ୯୨ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧୩ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *