ହାଟ୍ରିକ୍ ବିଜୟ ସହ ଶୀର୍ଷରେ ଗୁଜରାଟ
ଆଇପିଏଲ୍-୧୬
କୋଲକାତା, ୨୯ା୪ (ଏଜେନ୍ସି): ଗୁଜରାଟ ଟାଇଟନ୍ସ ଶନିବାର ଚଳିତ ଆଇପିଏଲ୍ର ୩୯ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟ୍ରେ ପରାସ୍ତ କରିଛି । ଗୁଜରାଟର ଜୋସ୍ ଲିଟିଲ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ର ଏହା ହାଟ୍ରିକ୍ ବିଜୟ । ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ଆଠ ମ୍ୟାଚ୍ରୁ ୧୨ ପଏଣ୍ଟ ପାଇ ଟେବୁଲ୍ ଶୀର୍ଷରେ ପହଞ୍ଚିଛି ।
ଗୁଜରାଟ ଟିମ୍ ୧୭.୫ ଓଭର୍ରେ ୩ ୱିକେଟ୍ ହରାଇ ଆବଶ୍ୟକ ୧୮୦ ରନ୍ ସଂଗ୍ରହ କରିଥିଲା । ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ଙ୍କ ଯୋଡ଼ି ୪୧ ରନ୍ର ଭାଗୀଦାରୀ କରିଥିଲେ । ସାହା ମାତ୍ର ୧୦ ରନ୍ କରି ଆନେ୍ଦ୍ର ରସେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଗିଲ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନ୍ର ଭାଗୀଦାରୀ ହୋଇଥିଲା । ପାଣ୍ଡ୍ୟା ୨୬ ରନ୍ କରି ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ । ଏହା ପର (୧୨ତମ) ଓଭର୍ରେ ଗିଲ୍ (୩୬ ବଲ୍ରୁ ୪୯ ରନ୍)ଙ୍କୁ ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ କରିଥିଲେ ସୁନୀଲ ନରିନ୍ । ୯୩ ରନ୍ରେ ୩ ୱିକେଟ୍ ପଡ଼ିବା ପରେ ବିଜୟ ଶଙ୍କର ଓ ଡେଭିଡ୍ ମିଲର୍ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟ ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ମାତ୍ର ୩୯ ବଲ୍ରୁ ୮୭ ରନ୍ର ଅପରାଜିତ ଭାଗୀଦାରୀ ହୋଇଥିଲା । ଶଙ୍କର ୨୪ ବଲ୍ରୁ ୫୧ (୨ ଚୌକା ଓ ୫ ଛକା ସହାୟତାରେ) ଓ ମିଲର୍ ୧୮ ବଲ୍ରୁ ୩୨ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ରେ ଗୁଜରାଟ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ଟିମ୍ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ରହମନୁଲ୍ଲା ଗୁର୍ବାଜ ୩୯ ବଲ୍ରୁ ସର୍ବାଧିକ ୮୧ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୭ ଛକା ରହିଥିଲା ।
ନାରାୟଣ ୧୯ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୨୩ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଅନ୍ୟପଟେ, ଗୁରବାଜ୍ ଦୃଢ଼ ପ୍ରଦର୍ଶନ ଜାରି ରହିଥିଲା । ତେବେ ତାଙ୍କର ପରବର୍ତ୍ତୀ ଯୋଡ଼ିଦାର ଶାର୍ଦ୍ଦୂଳ ଠାକୁର, ଭେଙ୍କଟେଶ ଆୟର ଓ ଅଧିନାୟକ ନୀତୀଶ ରାଣା ବିଫଳ ହୋଇଥିଲେ । ଠାକୁର ଖାତା ଖୋଲି ନ ପାରି ଶାମୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଆୟର (୧୧) ଓ ରାଣା (୪) ଉଭୟ ୧୧ତମ ଓଭର୍ରେ ଲିଟଲ୍ଙ୍କ ଶିକାର ହୋଇଥିଲେ ।
୮୮ ରନ୍ରେ ୪ ୱିକେଟ୍ ହରାଇଥିଲା ଟିମ୍ । ଏହାପରେ ଗୁରବାଜ୍ ନୂଆ ବ୍ୟାଟର୍ ରିଙ୍କୁ ସିଂହଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୪୭ ରନ୍ ଯୋଗ କରିଥିଲେ । ଗୁରବାଜ୍ଙ୍କ ଦମ୍ଦାର ଇନିଂସ୍ର ଅନ୍ତ ଘଟାଇଥିଲେ ନୂର୍ ଅହମଦ । ଏହି ଓପନର୍ଙ୍କ ଇନିଂସ୍ରେ ୫ ଚୌକା ଓ ୭ ଛକା ରହିଥିଲା । ରିଙ୍କୁ (୧୯) ମଧ୍ୟ ନୂର୍ଙ୍କ ଶିକାର ହୋଇଥିଲେ । ରସେଲ୍ (୧୯ ବଲ୍ରୁ ୩୪) ଶେଷ ଓଭର୍ର ଶେଷ ବଲ୍ରେ ଶାମୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଡେଭିଡ୍ ୱିସୀ ୮ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଶାମୀ ୩ ଏବଂ ଲିଟିଲ୍ ଓ ନୂର୍ ୨ ଲେଖାଏଁ ୱିକେଟ୍ ନେଇଥିଲେ ।