ମେ’ରେ ଜଳିବ ଓଡିଶା
କାଳବୈଶାଖୀ ସାଙ୍ଗକୁ ହିଟ୍ୱେଭ ୱାର୍ଣ୍ଣଂ
ଭୁବନେଶ୍ୱର, ୨୮ା୪(ବୁ୍ୟରୋ): ଆଉ ଦୁଇ ଦିନ ପରେ କଲବଲ କରିବ ତାତି । ମେ’ ପହିଲାରୁ ପାଗରେ ବିପୁଳ ପରିବର୍ତ୍ତନ ଦେଖା ଦେଇପାରେ । ସାଧାରଣ ତାପମାତ୍ରା ଠାରୁ ମେ’ରେ ପାରଦ ଅଧିକ ହେବାର ଆଶଙ୍କା ରହିଛି । ଏଭଳି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଆଇଏମ୍ଡିର ଆକଳନ ଅନୁଯାୟୀ ମେ’ରେ ଆସିପାରେ ହିଟ୍ୱେଭ । ତେବେ ମେ’ରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ପାଣିପାଗ ଓ ଜଳବାୟୁ ସମ୍ପର୍କରେ ଆୟୋଜିତ ମିଡିଆ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ବିଶେଷ କରି ଉପକୂଳ ଓଡ଼ିଶାରେ ହିଟ୍ ୱେଭ୍ ଆସିପାରେ । ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ବି ହିଟ୍ ୱେଭ୍ ଆସିପାରେ । ଆସନ୍ତା ସପ୍ତାହରେ ତାପମାତ୍ରା ବଢିବା ସମ୍ଭାବନା ରହିଛି । ମେ’ ୧୨ରୁ ୧୮ ମଧ୍ୟରେ ହିଟ୍ ୱେଭ୍ ଆସିପାରେ ବୋଲି ସେ କହିଛନ୍ତି । ସେପଟେ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ମିଡିଆ ସର୍ଭେ ଆନାଲିସିସ୍ । ପାଣିପାଗ ସମ୍ପର୍କିତ ବୁଲେଟିନ ପ୍ରସ୍ତୁତି ଓ ଏହାର ପ୍ରସାର ସମ୍ପର୍କରେ ଆଲୋଚନା ହୋଇଛି । କୌଣସି ପ୍ରକାର ପାଣିପାଗ ସମ୍ପର୍କିତ ସୂଚନାର ପ୍ରସାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଆସୁଛି । ଏକ୍ଷେତ୍ରରେ କମୁ୍ୟନିଟି ରେଡିଓ ସମେତ ବିଭିନ୍ନ କାରିଗରିର ଉପଯୋଗ କରାଯାଉଛି । ଲୋକମାନେ ଯେପରି ସରଳ ଭାବେ ସମସ୍ତ ସୂଚନା ପାଇପାରିବେ ଏବଂ ଜନଜୀବନର ସୁରକ୍ଷା ହୋଇପାରିବ ସେଥିଲାଗି ଗୁରୁତ୍ୱ ଦିଆଯାଇଛି ବୋଲି ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।