ଲିଗ୍ର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ
ଆଇପିଏଲ୍-୧୬
ମୋହାଲି, ୨୮ା୪ (ଏଜେନ୍ସି): ମାର୍କସ ଷ୍ଟୋଇନିସ୍ ଓ କାଇଲ୍ ମାୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ୩୮ତମ ମ୍ୟାଚ୍ରେ ଲିଗ୍ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର୍ କରି ପଞ୍ଜାବ କିଙ୍ଗ୍ସକୁ ୨୫୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ପଞ୍ଜାବ ଟିମ୍ ୧୨ ଓଭର୍ରେ ୩ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା । ଅଥର୍ବ ତାଇଦେ ୬୫ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୧ ରନ୍ କରି ଅପରାଜିତ ଥିଲେ ।
ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା । ଚଳିତ ସିଜନ୍ର ଏହା ସର୍ବାଧିକ ସ୍କୋର୍ । ତେବେ ଲିଗ୍ ଇତିହାସରେ ସର୍ବାଧିକ ଟିମ୍ ସ୍କୋର୍ ଥିଲା ୨୬୩ ରନ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦୧୩ରେ ବାଙ୍ଗାଲୋର ଠାରେ ପୁନେ ୱାରିଅର୍ସ ବିପକ୍ଷରେ ଏହି ସ୍କୋର୍ କରିଥିଲା । ଆଇପିଏଲ୍ରେ ଦ୍ୱିତୀୟ ଥର ୨୫୦+ ସ୍କୋର୍ ହୋଇଛି ।
ଲକ୍ଷ୍ନୌ ପକ୍ଷରୁ ଷ୍ଟୋଇନିସ୍ ୭୨ ଓ ମାୟର୍ସ ୫୪ ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ବୋଲର୍ କାଗିସୋ ରାବାଡ଼ା ଦୁଇ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ, ସାମ୍ କରନ୍, ଲିଭିଙ୍ଗ୍ ଲିଭିଙ୍ଗ୍ଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିନାୟକ ଲୋକେଶ ରାହୁଲ ଓ ମାୟର୍ସଙ୍କ ଯୋଡ଼ି ୪୧ ରନ୍ର ଭାଗୀଦାରୀ କରିଥିଲେ । ରାହୁଲ ମାତ୍ର ୧୨ ରନ୍ କରି ରାବାଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ମାୟର୍ସଙ୍କ ସହ ଏକ କ୍ରିଜ୍ରେ ଯୋଗ ଦେଇଥିଲେ ଆୟୁଷ ବଦୋନୀ । ମାୟର୍ସ ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଏହାପରେ ସେ ଆଉ ବେଶୀ ସମୟ ତିଷ୍ଠି ନ ଥିଲେ ଏବଂ ୨୪ ବଲ୍ରୁ ୫୪ ରନ୍ର ଇନିଂସ୍ ଖେଳି ରାବାଡ଼ାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ତାଙ୍କ ଇନିଂସ୍ରେ ୭ ଚୌକା ଓ ୪ ଛକା ଥିଲା ।
ଏହାପରେ ବଦୋନୀ ନୂଆ ବ୍ୟାଟର୍ ଷ୍ଟୋଇନିସ୍ଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଏହି ଯୋଡ଼ି ତୃତୀୟ ୱିକେଟ୍ ପାଇଁ ୪୬ ବଲ୍ରୁ ୮୯ ରନ୍ର ଭାଗୀଦାରୀ କରିଥିଲେ । ବଦୋନୀ ୭ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ଲିଭିଙ୍ଗ୍ଷ୍ଟୋନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଷ୍ଟୋଇନିସ୍ ଓ ନିକୋଲାସ ପୂରନ୍ଙ୍କ ମଧ୍ୟରେ ବି ଦମ୍ଦାର ଭାଗୀଦାରୀ ଦେଖିବାକୁ ମିଳିଥିଲା । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୭୬ ରନ୍ ଯୋଗ କରିଥିଲେ । ଇତ୍ୟବସରେ ଷ୍ଟୋଇନିସ୍ ୩୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସିଜନ୍ରେ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ୧୯ତମ ଓଭର୍ରେ ଷ୍ଟୋଇନିସ୍ଙ୍କୁ ଆଉଟ୍ କରି କରାନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଷ୍ଟୋଇନିସ୍ ୪୦ ବଲ୍ରୁ ୬ ଚୌକା ଓ ୫ ଛକା ସହାୟତାରେ ୭୨ ରନ୍ର ଇନିଂସ୍ ଖେଳିଥିଲେ । ପୂରନ୍ ୧୯ ବଲ୍ରୁ ୪୫ ରନ୍ କରି ଅର୍ଶଦୀପଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଦୀପକ ହୁଡ଼ା ୧୧ ଓ କୃଣାଲ୍ ପାଣ୍ଡ୍ୟା ୫ ରନ୍ କରି ଅପରାଜିତ ଥିଲେ । ୨୫୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ପଞ୍ଜାବ ଟିମ୍ ମାତ୍ର ୩୧ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ଅଧିନାୟକ ଶିଖର ଧାବନ୍ ୧ ରନ୍ କରି ଷ୍ଟୋଇନିସ୍ଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ପ୍ରଭସିମରନ୍ ସିଂହ ୯ ରନ୍ କରି ନବୀନ-ଉଲ୍-ହକ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଅଥର୍ବ ତାଇଦେ ଓ ସିକନ୍ଦର ରାଜା ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୮ ରନ୍ର ଭାଗୀଦାରୀ କରିଥିଲେ । ରାଜା ୨୨ ବଲ୍ରୁ ୩୬ ରନ୍ କରି ଯଶ ଠାକୁରଙ୍କ ଶିକାର ହୋଇଥିଲେ । ଅଥର୍ବ ୨୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।