ବିଜୁ ପକ୍କା ଘରେ ଜଗନ ପୋଷ୍ଟର
ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ
କୋରାପୁଟ, ୨୮ା୪(ଆପ୍ର): ସୁପ୍ରିମକୋର୍ଟରେ ଓଡିଶା-ଆନ୍ଧ୍ର ସୀମା ବିବାଦ ଚାଲିଥିବାବେଳେ ଏବେ ଆନ୍ଧ୍ର ସରକାର ସିଧାସଳଖ ଓଡିଶା ସରକାରଙ୍କୁ ଚାଲେଞ୍ଜ ଦେବାଭଳି କାର୍ଯ୍ୟ କରିଛନ୍ତି । ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ଶୁକ୍ରବାର କୋଟିଆର ତଳ ସେମ୍ବି ଓ ଉପର ସେମ୍ବି ଗ୍ରାମରେ ପହଞ୍ଚି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଜୁ ପକ୍କା ଘର ଯୋଜନା ଅନୁଯାୟୀ ଦିଆଯାଇଥିବା ଆବାସଗୃହର ସବୁ କାନ୍ଥରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଫଟୋ ଥିବା ଲୋଗୋ ଲଗାଇଛନ୍ତି । ତା ସହିତ ଦୁଇଟିଯାକ ଗାଁର ସବୁ ଘରର ନମ୍ବରିଂ କରିଛି ଆନ୍ଧ୍ର ପ୍ରଶାସନ ।
କେବଳ ସେତିକି ନୁହେଁ, ଶୁକ୍ରବାର ତଳ ଗଞ୍ଜେଇପଦର ଗ୍ରାମରେ ଆନ୍ଧ୍ରର ଏକ ସ୍ୱାସ୍ଥ୍ୟ ଟିମ୍ ଅନଧିକାର ପ୍ରବେଶ କରିଛି । ସାଲୁର ମଣ୍ଡଳର କିଛି ସ୍ୱାସ୍ଥ୍ୟ ଅଧିକାରୀ ମୋବାଇଲ ମେଡିକାଲ ଭ୍ୟାନ ଯୋଗେ ପହଞ୍ଚି କ୍ୟାମ୍ପ ଖୋଲିଥିଲେ । ଗାଁର କିଛି ପରିବାର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାମ୍ପ୍କୁ ଯାଇଥିବା ଦେଖାଯାଇଥିଲା । ଗଞ୍ଜେଇ ପଦର ଗ୍ରାମରେ ଆନ୍ଧ୍ର ଟିମ୍ ବହୁ ସମୟ ଧରି ରହି ସେଠାରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ଛିମାସ ତଳେ ଏହିଭଳି ଏକ ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍କୁ କୋରାପୁଟ ବ୍ଲକ ପ୍ରଶାସନ ଘଉଡାଇ ଦେଇଥିଲା । କିନ୍ତୁ ପରଦିନ ଆନ୍ଧ୍ର ଟିମ୍ ପୁଲିସ୍ ଫୋର୍ସ ସହ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା ।
ସୂଚନାଯୋଗ୍ୟ, ଉକ୍ରଳ ଦିବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ସେଠାରେ ଅଞ୍ଚଳବାସୀଙ୍କ ସହିତ ଉକ୍ରଳ ଦିବସ ପାଳନ କରିଥିଲେ । ସେହି ସମୟରେ ଜଣେ ଆନ୍ଧ୍ର ଅଧିକାରୀଙ୍କୁ ସେ ତାଗିଦ କରିବା ସହିତ ‘ଗୋ ବ୍ୟାକ୍ ଆନ୍ଧ୍ର’ ନାରା ଦେଇଥିଲେ । ତାହାକୁ ଆନ୍ଧ୍ର ସରକାର ସହଜରେ ସହ୍ୟ କରି ନ ପାରି ବିଜୁ ପକ୍କା ଘରେ ଜଗନଙ୍କ ଫଟୋ ଲଗାଉଛି ।