ଛତିଶଗଡ଼ରେ ନକ୍ସଲ ହମ୍ଲା
୧ଠ ଡିଆର୍ଜି ଯବାନ ସହିଦ
ଭ୍ୟାନ୍ ଡ୍ରାଇଭର ମୃତ
୫୦କେଜିର ଆଇଇଡି ବିସ୍ଫୋରଣ
ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି
ଓଡ଼ିଶାର ୩ ସୀମାନ୍ତ
ଜିଲ୍ଲାରେ ହାଇ ଆଲର୍ଟ
ମାଲକାନଗିରି, ୨୬ ।୪(ଆପ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ବୁଧବାର ମାଓବାଦୀଙ୍କ ଆଇଡି ବୋମା ବିସ୍ଫୋରଣରେ ୧୦ ଯବାନ ସହିଦ ହୋଇଥିବାବେଳେ ଯବାନମାନଙ୍କ ଭଡା ଗାଡି ଚଳାଉଥିବା ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ସହିଦ ଯବାନମାନେ ହେଲେ- ପ୍ରଧାନ ଆରକ୍ଷକ ଯଗା ସୋଡି, ମୁନ୍ନା ରାମ କଡତି, ସନ୍ତୋଷ ତାମୋ, ଦୁଲଗୋ ମଣ୍ଡାବି, ଲଖମୁ ମରକମ, ଯଗା କବାସୀ, ହରିରାମ ମଣ୍ଡାବି, ରାଜୁ ରାମ କରତମ, ଜୟରାମ ପଡିଆମୀ, ଜଗଦୀଶ କବାସୀ ଏବଂ ଗାଡି ଚାଳକ ଧନିରାମ ।
ସୂଚନା ଅନୁଯାୟୀ, ଛତିଶଗଡର ଦନ୍ତେୱାଡାର ଅରଣପୁର ଥାନା ଅଞ୍ଚଳରେ ବହୁ କ୍ୟାଡର ମାଓବାଦୀଙ୍କ ଉପସ୍ଥିତି ଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ଡିଆରଜି ଯବାନଙ୍କୁ ଘଟଣା ସ୍ଥଳକୁ ସର୍ଚ ଅପରେସନ ପାଇଁ ପଠାଯାଇଥିଲା । ଏକ ମାଲ୍ବାହୀ ମିନି ଭ୍ୟାନ୍ ଯୋଗେ ପ୍ରାୟ ୨୫ ଜଣ ଯବାନ ଫେରୁଥିଲେ । ଅପରାହ୍ନ ପ୍ରାୟ ୧ଟାବେଳେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୫୦ କେଜିର ଆଇଡି ବୋମା ବ୍ୟବହୃତ ହୋଇଥିଲା ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯବାନମାନଙ୍କ ଗାଡିଟି ସମ୍ପୂର୍ଣ ଧ୍ୱଂସ ହୋଇଯାଇଥିଲା । ଏଥିରେ ଥିବା ୧୦ ଯବାନଙ୍କ ସହ ଡ୍ରାଇଭର ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ବିସ୍ଫୋରଣ ବେଳେ ନିକଟରେ ଥିବା କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବ ସୂଚନା ମିଳିଛି । ସେଠାରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଯବାନମାନେ ମଙ୍ଗଳବାର ରାତିରେ ହାର୍ଡକୋର୍ ନକ୍ସଲ କମାଣ୍ଡର ତଥା ୭ଲକ୍ଷ ଟଙ୍କାର ଇନାମୀ ଜଗଦୀଶର ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲେ । ବୁଧବାର ସକାଳ ପ୍ରାୟ ୭ଟାବେଳେ ନକ୍ସଲଙ୍କ ସହ ଏନ୍କାଉଣ୍ଟର ହୋଇଥିଲା ।
ନକ୍ସଲମାନେ ପ୍ରତିବର୍ଷ ଟାକ୍ଟିକାଲ୍ କାଉଣ୍ଟର ଅଫ୍ ଅଫେନ୍ସିଭ୍ କ୍ୟାମ୍ପେନ୍ (ଟିସିଓସି) ଆୟୋଜନ କରିଥାନ୍ତି । ଏହା ଜରିଆରେ ସେମାନେ ନିଜ ସଙ୍ଗଠନରେ ନୂଆ ସଦସ୍ୟଙ୍କୁ ଯୋଡିଥାନ୍ତି । ନବାଗତ ଯୁବ ସଦସ୍ୟମାନଙ୍କ ବ୍ରେନ୍ ୱାଶ୍ କରାଯିବା ସହ ଫେବୃଆରୀ ମାସରୁ ଆକ୍ରମଣ ତାଲିମ ଦିଆଯାଇଥାଏ । ଏବେ ଟିସିଓସି ଚାଲିଥିବାରୁ ବସ୍ତର ଇଲାକାର ସବୁ ଜିଲ୍ଲାରେ ଯବାନମାନଙ୍କୁ ସର୍ଚ୍ଚିଂ ଅପରେସନ୍ରେ ପଠାଯାଉଛି । ଏହି କ୍ରମରେ ଦନ୍ତେୱାଡାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି) ଯବାନମାନଙ୍କୁ ତଲାସୀ ଅଭିଯାନ ଲାଗି ପଠାଯାଇଥିଲା । ଗତ ୧୩ ବର୍ଷରେ ଛତିଶଗଡରେ ବିଭିନ୍ନ ନକ୍ସଲ ହମ୍ଲାରେ ପ୍ରାୟ ୨୦୦ ଯବାନ ସହିଦ ହୋଇଛନ୍ତି ।
ଛତିଶଗଡର ୮ଟି ଜିଲ୍ଲା ଯଥା- ବିଜାପୁର, ସୁକମା, ବସ୍ତର, ଦନ୍ତେୱାଡା, କାଙ୍କେର, ନାରାୟଣପୁର, ରାଜନନ୍ଦଗାଁଓ ଓ କୋଣ୍ଡାଗାଁଓ ନକ୍ସଲ ପ୍ରଭାବିତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କଠୋର ଭାଷାରେ ନକ୍ସଲ ଆକ୍ରମଣକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ଯୋଜନାବଦ୍ଧ ଭାବେ ଖୁବ ଶୀଘ୍ର ମାଓ ସଙ୍ଗଠନର ସମୂଳେ ନାଶ ପାଇଁ ପଦକ୍ଷେପ ନିଆଯିବ ।
ଏହି ଘଟଣାକୁ ନେଇ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି ।