ପ୍ରିୟଙ୍କା ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!
ନୂଆଦିଲ୍ଲୀ, ୨୬ ।୪: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ଶେଷ ନ ହେଉଣୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବା ପାଇଁ କଂଗ୍ରେସ ପକ୍ଷରୁ ଦାବି ଜୋର ଧରିଲାଣି । ବହୁ ପୂର୍ବରୁ ଦଳର ଗୋଟିଏ ଗୋଷ୍ଠୀ ରାହୁଲଙ୍କ ପରେ ପ୍ରିୟଙ୍କାଙ୍କ ହାତକୁ କଂଗ୍ରେସର କମାଣ ହସ୍ତାନ୍ତର କରାଯିବା ଉପରେ ଅଡି ବସିଥିଲେ । ଏବେ ଦଳର ଅନ୍ୟତମ ନେତା ପ୍ରମୋଦ କୃଷ୍ଣା ପ୍ରିୟଙ୍କାଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବା ଦାବି ଉପସ୍ଥାପନ କରିଛନ୍ତି । ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବା ନ ହୁଅନ୍ତୁ କଂଗ୍ରେସରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଥିବା ସୂଚନା ରାୟପୁର ସମ୍ମିଳନୀରେ ମିଳିଥିଲା । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଥିବା ପରିପ୍ରେକ୍ଷୀରେ ପ୍ରିୟଙ୍କାଙ୍କ ନେତୃତ୍ୱ ପ୍ରସଙ୍ଗ ଉଠିଛି । ଯଦି ହାଇକୋର୍ଟରୁ ରାହୁଲଙ୍କ ସପକ୍ଷରେ ରାୟ ନ ଆସେ ପ୍ରିୟଙ୍କା ୱାୟନାଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ଯଦିଓ ୨୦୧୯ରୁ ପ୍ରିୟଙ୍କା କଂଗ୍ରେସ ମହାସଚିବ ରୂପେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି, ବହୁ ପୂର୍ବରୁ ସେ ବିଭିନ୍ନ ଦଳୀୟ ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଛନ୍ତି । ୨୦୨୪ରେ ଯଦି କଂଗ୍ରେସ କ୍ଷମତାକୁ ନ ଫେରେ ସେ କ୍ଷେତ୍ରରେ ପ୍ରିୟଙ୍କାଙ୍କୁ ଦଳର ନେତୃତ୍ୱ ମିଳିବା ସମ୍ଭାବନା ଅଧିକ ।