ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ସଫଳତାର ହିସାବ ଦେବେ ସରକାର
ଭୁବନେଶ୍ୱର, ୨୬ା୪(ବୁ୍ୟରୋ): ଆସନ୍ତା ମେ’ ୨୯ରେ ବିଜେଡି ସରକାରଙ୍କୁ ପୂରଣ ହେଉଛି ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ । କ୍ରାମାଗତ ୨୩ ବର୍ଷ ଧରି ବିଜେଡି ସରକାର ଉପରେ ରାଜ୍ୟବାସୀ ଆସ୍ଥା ରଖିଆସିଥିବା ବେଳେ ସରକାରଙ୍କୁ ଏହା ଅଧିକ ଉତ୍ତରଦାୟୀ କରିଛି । ଜରାୟୁ ଠାରୁ ଜୁଇ ପର୍ଯ୍ୟନ୍ତ ଅନେକ ଜନକଲ୍ୟାଣକାରୀ ଯୋଜନା ସରକାର କାର୍ଯ୍ୟକାରୀ କରିଛନ୍ତି । ଶାସନ ବ୍ୟବସ୍ଥାରେ ଜନ ଭାଗିଦାରୀକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ଆସନ୍ତା ମେ’ ୨୨ ତାରିଖରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀମାନେ ନିଜ ବିଭାଗର ଅନୂ୍ୟନ ୫ଟି ପ୍ରମୁଖ ସଫଳ କାର୍ଯ୍ୟର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହାପୂର୍ବରୁ ମନ୍ତ୍ରୀମାନେ ନିଜସ୍ତରରେ ବିଭାଗୀୟ ଅଧିକାରୀଙ୍କ ସହ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେ’ ୨୨ରେ କୃଷି ଏବଂ କୃଷକ ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହେବ । ସେହିପରି ୨୩ ତାରିଖରେ ପୂର୍ତ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ୨୪ରେ ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ସମୀକ୍ଷା ବୈଠକ ହେବ । ମେ ୨୫ରେ ଜଳସମ୍ପଦ, ଉଚ୍ଚ ଶିକ୍ଷା, ଯୋଜନା ଏବଂ ସଂଯୋଜନ ବିଭାଗ, ୨୬ରେ ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରିପୋର୍ଟ କାର୍ଡ ଦେବେ । ୨୭ ତାରିଖରେ ମିଶନ ଶକ୍ତି, ଦକ୍ଷତା ବିକାଶ, ଶ୍ରମ ଏବଂ ନିୟୋଜନ ବିଭାଗର ବୈଠକ ଧାର୍ଯ୍ୟ ହୋଇଥିବା ବେଳେ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା ବିଭାଗର ବୈଠକ ଅନୁଷ୍ଠିତ ହେବ । ୩୦ ତାରିଖରେ ଏସି-ଏସ୍ଟି ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ, ୩୧ ତାରିଖରେ କ୍ରୀଡ଼ା ଏବଂ ଯୁବସେବା, ମହିଳା ଓ ଶିଶୁ ବିକାଶ ଏବଂ ଶକ୍ତି ବିଭାଗର, ଜୁନ୍ ପହିଲାରେ ପର୍ଯ୍ୟଟନ ଏବଂ ସାମାଜିକ ସଶକ୍ତୀକରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *