କୋଲକାତାର ତୃତୀୟ ବିଜୟ
ଆଇପିଏଲ୍-୧୬
ବେଙ୍ଗାଲୁରୁ, ୨୬ା୪ (ଏଜେନ୍ସି): କୋଲକାତା ନାଇଟ୍ ରାଇଡର୍ସ ବୁଧବାର ଚଳିତ ଆଇପିଏଲ୍ର ୩୬ତମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୨୧ ରନ୍ରେ ପରାସ୍ତ କରିଛି । କୋଲକାତାର ଏହା ତୃତୀୟ ବିଜୟ ।
୨୦୧ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୭୯ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ଦ୍ରୁତ ଆରମ୍ଭ କରିଥିଲେହେଁ ୫୮ ରନ୍ ମଧ୍ୟରେ ତିନି ୱିକେଟ୍ ହରାଇଥିଲା । ଫାଫ୍ ଡୁ ପ୍ଲେସିସ୍ ୧୭ ଓ ଶାହବାଜ ଅହମଦ ୨ ରନ୍ କରି ସୂୟାଶ ଶର୍ମାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ (୫)ଙ୍କ ୱିକେଟ୍ ବରୁଣ ଚକ୍ରବର୍ତ୍ତୀଙ୍କ ଖାତାକୁ ଯାଇଥିଲା । ଏହାପରେ ଅଧିନାୟକ ବିରାଟ କୋହଲି ନୂଆ ବ୍ୟାଟର୍ ମହିପାଲ୍ ଲୋମରର୍ଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୫୫ ରନ୍ର ଭାଗୀଦାରୀ କରିଥିଲେ ।
ମହିପାଲ୍ ୧୮ ବଲ୍ରୁ ୩୪ ରନ୍ କରି ବରୁଣଙ୍କ ଆଉ ଏକ ଶିକାର ହୋଇଥିଲେ । ଏହା ପର ଓଭର୍ରେ କୋହଲି (୩୭ ବଲ୍ରୁ ୬ ବୌକା ସହାୟତାରେ ୫୪) ରସେଲ୍ଙ୍କ ବଲ୍ରେ ଆୟରଙ୍କୁ କ୍ୟାଚ୍ ଦେଇଥିଲେ ।
ଏହା ପୂର୍ବରୁ ଆର୍ସିବି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା ।
ଜାସନ୍ ରୟ ଓ ନାରାୟଣ ଜଗଦୀଶନ୍ଙ୍କ ଓପନିଂ ଯୋଡ଼ି ଦ୍ରୁତ ଆରମ୍ଭ କରି ୫୬ ବଲ୍ରୁ ୮୩ ରନ୍ର ଭାଗୀଦାରୀ କରିଥିଲେ । ରୟ ମାତ୍ର ୨୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୦ମ ଓଭର୍ରେ ଜଗଦୀଶନ୍ (୨୭)ଙ୍କୁ ଆଉଟ୍ କରି ବିଜୟକୁମାର ଭିସାକ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଏହି ଓଭର୍ର ଶେଷ ବଲ୍ରେ ସେ ରୟ (୨୯ ବଲ୍ରୁ ୪ ଚୌକା ଓ ୫ ଛକା ସହାୟତାରେ ୫୬ ରନ୍)ଙ୍କୁ ମଧ୍ୟ ପାଭିଲିଅନ୍ ପଠାଇଥିଲେ ।
ଏହାପରେ ଭେଙ୍କଟେଶ ଆୟର ଓ ଅଧିନାୟକ ନୀତୀଶ ରାଣା ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୪୪ ବଲ୍ରୁ ୮୦ ରନ୍ର ଭାଗୀଦାରୀ କରିଥିଲେ । ନୀତୀଶ ୨୧ ବଲ୍ରୁ ୪୮ ରନ୍ କରି ହସରଙ୍ଗା ଡି’ ସିଲ୍ଭାଙ୍କ ଶିକାର ହୋଇଥିଲେ । ଏହି ଓଭର୍ରେ ଆୟର (୩୧)ଙ୍କ ୱିକେଟ୍ ବି ପଡ଼ିଥିଲା । ଏହାପରେ ଆନେ୍ଦ୍ର ରସେଲ୍ ୧ ରନ୍ କରି ମହମ୍ମଦ ସିରାଜ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରିଙ୍କୁ ସିଂହ ୧୮ ଓ ଡେଭିଡ୍ ୱିସି ୧୨ ରନ୍ କରି ଅପରାଜିତ ଥିଲେ ।