ଶିକ୍ଷାର୍ଥୀଙ୍କ ସଫଳତା ରାଜ୍ୟର ସଫଳତା

୫-ଟି ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫ା୪(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫-ଟି ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬, ଅନୁଗୁଳର ୮୭, କେନ୍ଦୁଝରର ୫୭ ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ସୂଚନାଯୋଗ୍ୟ, ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଏହି ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି । ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ।
ଏହିସବୁ ସ୍କୁଲରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନେ ଯଦି ନିଜ ଜୀବନରେ ୫-ଟିର ଉପଯୋଗ କଲେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଏହାର ବ୍ୟାଖ୍ୟା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲଜିର ଯୁଗ । ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଦ୍ୱିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ । କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ । ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ୱାରା ମଣିଷର ବିଶ୍ୱସନୀୟତା ବୃଦ୍ଧି ପାଏ । ସମୟର ଗୁରୁତ୍ୱ ସଂପର୍କରେ ସମସ୍ତେ ଜାଣନ୍ତି । ତେଣୁ ଏସବୁ ସହିତ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ ପିଲାମାନେ ନିଶ୍ଚୟ ସବୁକ୍ଷେତ୍ରରେ ଆଗରେ ରହିବେ ଏବଂ ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା । କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ, ୫-ଟି ହେଉଛି ଟେକ୍ନୋଲଜି, ଟିମ୍‌ୱାର୍କ, ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍ସଫରମେସନ ବା ରୂପାନ୍ତର ଆସିଥାଏ । ଟେକ୍ନୋଲଜି ପ୍ରୟୋଗରେ ସ୍ମାର୍ଟ କ୍ଲାସ୍ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବରେଟରୀର ବିକାଶ କରାଯାଇଛି । ଏହି ରୂପାନ୍ତର କାମ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି ଯାହା ଟିମ୍‌ୱାର୍କର ପ୍ରତୀକ । ସମୟକୁ ଗୁରୁତ୍ୱ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି । ଏସବୁ କାମରେ ପ୍ରତି ସ୍ତରରେ ସ୍ୱଚ୍ଛତା ରକ୍ଷା କରାଯାଇଛି । ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି । ଭିଜନ୍ ଡକୁ୍ୟମେଣ୍ଟଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ୱଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ୱାରା ଆସିଛି ରୂପାନ୍ତର ଯାହାକୁ ଆମେ ଦେଖିପାରୁଛୁ, ଅନୁଭବ କରିପାରୁଛୁ ।
ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ୫-ଟି ରୂପାନ୍ତର ସଂପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଅନୁଗୁଳ ଜିଲ୍ଲାର ଛେଣ୍ଡିିପଦା ସ୍ଥିତ ପରଜଙ୍ଗ ସେଣ୍ଟେନରୀ ଟ୍ରାଇବାଲ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାସ୍ଥିତ ଆର୍ଯ୍ୟବନ ଗୁରୁକୁଳ ବିଦ୍ୟାଳୟର ଛାତ୍ରୀ ସ୍ମୃତି ପଲାଇ, ଜଗତସିଂହପୁର ରୂପାନ୍ତରିତ ସ୍କୁଲର ଛାତ୍ରୀ ସ୍ୱାତୀସ୍ନିଗ୍ଧା ଆଚାର୍ଯ୍ୟ ଏବଂ କେନ୍ଦୁଝର ଜିଲ୍ଲାର ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଶୁଭାସିନୀ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ, ଆମର ଧାରଣା ଥିଲା କେବଳ ସ୍ୱଚ୍ଛଳ ବର୍ଗର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେ ଧାରଣା ବଦଳାଇ ଦେଇଛନ୍ତି । ଆମକୁ ସବୁଠାରୁ ଅତ୍ୟାଧୁନିକ ସୁବିଧା ମିଳିଛି । ଇଂରାଜୀ ମିଡୟମ ସ୍କୁଲରେ ପଢିବାର ଇଚ୍ଛା ଆଉ ନାହିଁ । ଆମ ସ୍କୁଲରେ ହିଁ ସବୁ ସୁବିଧା ରହିଛି । ଆମେ ପଢିବୁ, ବଢ଼ିବୁ, ଓଡ଼ିଶାର ନାଁ ରଖିବୁ । ପିଲାମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ କେବଳ ଉନ୍ନତ ଶିକ୍ଷା ବ୍ୟବସ୍ଥା କରିନାହାନ୍ତି, ଏହା ସହିତ ସେମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଆଗାମୀ ୬ ମାସରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ତିନିଟି ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣର ସଫଳତା ପାଇଁ ସେ ଜିଲ୍ଲାସ୍ତରରେ କାମ କରୁଥିବା ଟିମ୍‌ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ । ଓସେପାର ସ୍ୱତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *