ଅଲବିଦା ବାଦଲ
ଚଣ୍ଡିଗଡ, ୨୫ା୪: ପଞ୍ଜାବର ୫ ଥର ମୁଖ୍ୟମନ୍ତ୍ରୀ ଥିବା ପ୍ରକାଶ ସିଂହ ବାଦଲଙ୍କର ମଙ୍ଗଳବାର ମୋହାଲିସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରୋଲକ ଘଟିଛି । ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ବହୁଦିନ ଧରି ସେ ହସ୍ପିଟାଲରେ ଥିଲେ । ରବିବାର ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ମିଡିଆ ବୁଲେଟିନ୍ରେ କୁହାଯାଇଥିଲା ଯେ ପ୍ରକାଶ ସିଂହ ବାଦଲଙ୍କୁ ବିଶେଷଜ୍ଞମାନେ ଆଇସିୟୁରେ ରଖି ଚିକିତ୍ସା କରୁଛନ୍ତି । ୩ ଦିନ ହେଲା ସେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି । ଗତବର୍ଷ ଫେବ୍ରୁଆରୀରେ ମଧ୍ୟ ପୋଷ୍ଟ୍ କୋଭିଡ୍ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ୨୦୨୨ ଜାନୁଆରୀରେ କୋଭିଡ୍-୧୯ ସଂକ୍ରମଣ ପାଇଁ ଲୁଧିଆନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
୧୯୨୭ ଡିସେମ୍ବର ୮ରେ ଅବଦୁଲ ଖୁରାନା ନାମକ ପଲ୍ଲୀଗ୍ରାମର ଏକ ଜାଠ ଶିଖ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପନôୀ ସୁରିନ୍ଦର କୌରଙ୍କର ପୂର୍ବରୁ କ୍ୟାନ୍ସର ଯୋଗୁଁ ଦେହାନ୍ତ ହୋଇଛି । ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ତଥା ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲ ତାଙ୍କ ପୁତ୍ର । ବାଦଲ ୧୯୪୭ରେ ରାଜନୀତି କ୍ଷେତ୍ରକୁ ପ୍ରଦାର୍ପଣ କରିଥିଲେ । ପ୍ରଥମେ ପଞ୍ଚାୟତସ୍ତରରେ ରାଜନୀତି କରି ସେ ସରଞ୍ଚଭାବେ ନିର୍ବାଚିତ ହୋଇଥିଲେ । ୧୯୫୭ରେ ସେ ପ୍ରଥମେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିଲେ । ୧୯୬୯ରେ ଦ୍ୱିତୀୟବାର ସେ ବିଧାୟକ ହେଲେ । ୧୯୭୦-୭୧, ୧୯୭୭-୮୦, ୧୯୯୭-୨୦୦୨ରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୨, ୧୯୮୦ ଓ ୨୦୦୨ରେ ବାଦଲ ବିରୋଧୀ ଦଳର ନେତା ଥିଲେ । ପଞ୍ଜାବର ଲାମ୍ବି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ କ୍ରମାଗତ ୫ ଥର ବିଜୟୀ ହୋଇଥିଲେ । ଏହି କାରଣରୁ ତାଙ୍କୁ ପଞ୍ଜାବ ରାଜନୀତିର ବେତାଜ ବାଦ୍ଶାହ କୁହାଯାଏ । ସାଂସଦଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ୨୦୦୭ ମାର୍ଚ୍ଚ ୧ରୁ ୨୦୧୭ ମଧ୍ୟରେ ସେ ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଥିଲେ । ସେ ପର୍ଯ୍ୟନ୍ତ ସେ ରାଜନୀତି କ୍ଷେତ୍ରରେ ସକ୍ରିୟ ଥିଲେ ।
ବାଦଲଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଓ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।