ଶିକ୍ଷକଙ୍କ ସହ ୪ଗିରଫ
ଜାଲ୍ ସାର୍ଟିଫିକେଟ୍ ରାକେଟ୍ର ପର୍ଦ୍ଦାଫାସ
ବ୍ରହ୍ମପୁର, ୨୪ା୪(ବୁ୍ୟରୋ): ବ୍ରହ୍ମପୁର ପୁଲିସ୍ ଏକ ବଡଧରଣର ଜାଲ୍ ସାର୍ଟିଫିକେଟ୍ ର୍ୟାକେଟ୍ର ପର୍ଦ୍ଦାଫାଶ କରିଛି । ସହରର ଏକ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଅଭିଯୋଗକୁ ଭିତ୍ତିକରି ଅନ୍ୟ ଜଣେ ଶିକ୍ଷକ, ୟୁକ୍ରେନ୍ରେ ଡାକ୍ତରୀ ପଢ଼ୁଥିବା ତାଙ୍କ ପୁଅ ସମେତ ମୋଟ ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଏସ୍ପି ଡା. ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।
ଘରୋଇ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ ହେଉଥିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏସ୍ପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତମାନେ ହେଲେ ଖଲ୍ଲିକୋଟ ଲଙ୍ଗଳେଶ୍ୱର ଅଞ୍ଚଳର ସରକାରୀ ଶିକ୍ଷକ ଦୈତାରୀ ବେହେରା ଓ ତାଙ୍କ ପୁଅ ଅମୃତ ପ୍ରସାଦ ବେହେରା, ଢେଙ୍କାନାଳ ଜିଲ୍ଲା ବନମାଳି ପ୍ରସାଦ ଗ୍ରାମର ପ୍ରଶାନ୍ତ କୁମାର ସାହୁ ଏବଂ କଟକ ମଙ୍ଗଳବାଗର କିଶୋର ବେହେରା ।
ଅଭିଯୋଗକାରୀ ମନୋରଞ୍ଜନ ଗୌଡ଼ଙ୍କ ସ୍ତ୍ରୀ ଅପରାଜିତା ଗୌଡ଼ ମୁଖ୍ୟ ଅଭିଯୁକ୍ତ ଦୈତାରୀଙ୍କ ଜରିଆରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଦ୍ୟାଳୟରେ ନାମ ଲେଖାଇଥିଲେ । ୨୦୧୯ରେ ବିଏଡ୍ ପାଠ୍ୟକ୍ରମ ଶେଷ ହେବା ପରେ ଦୈତାରୀଙ୍କୁ ସେ ସାର୍ଟିଫିକେଟ୍ ମାଗିଥିଲେ । ଦୀର୍ଘଦିନ ପରେ ଦୈତାରୀ ଅପରାଜିତାଙ୍କୁ ସମସ୍ତ ସାର୍ଟିଫିକେଟ୍ ଦେଇଥିଲେ । ଦୈତାରୀ ଦେଇଥିବା ସମସ୍ତ ସାର୍ଟିଫିକେଟ୍ ନକଲି ବୋଲି ଜାଣିପାରି ଅପରାଜିତାଙ୍କ ସ୍ୱାମୀ ମନୋରଞ୍ଜନ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଢେଙ୍କାନାଳର ପ୍ରଶାନ୍ତ ଏହି ନକଲି ସାର୍ଟିଫିକେଟ୍ ଦେଇଥିବା ଜଣାପଡ଼ିଥିଲା । ପୁଲିସ ପ୍ରଶାନ୍ତଠାରୁ ବହୁ ନକଲି ସିଲ୍ ଜବତ କରିଛି । କଟକର ଅଭିଯୁକ୍ତ କିଶୋରଙ୍କଠାରୁ ସାର୍ଟିଫିକେଟ୍ରେ ଲାଗୁଥିବା ଷ୍ଟାମ୍ପ ଓ ପେପର ଜବତ କରାଯାଇଛି ।
କିଶୋରଙ୍କ ନାମରେ ପୂର୍ବରୁ ଜାଲ୍ ସାର୍ଟିର୍ଫିକେଟ୍ ନେଇ ଜୟପୁର ଥାନାରେ ମାମଲା ଥିଲା । ସେ କିଛିଦିନ ତଳେ ଜାମିନରେ ଆସିଥିଲେ । ଅଭିଯୁକ୍ତଙ୍କଠାରୁ ୨୦୦ରୁ ଊଦ୍ଧ୍ୱର୍ ନକଲି ବୋର୍ଡ ସାର୍ଟିଫିକେଟ୍, ୧୭୦ରୁ ଊଦ୍ଧ୍ୱର୍ ଯୁକ୍ତଦୁଇ ସାର୍ଟିଫିକେଟ୍, ୪୫ ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍, ୮୦ ଷ୍ଟେଟ୍ କାଉନ୍ସିଲ ଟେକ୍ନିକାଲ୍ ସାର୍ଟିଫିକେଟ୍, ୧୧ ବିପିୟୁଟି ୟୁନିଭରସିଟି ଏବଂ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନକଲି ସାର୍ଟିଫିକେଟ୍ ସହ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ର ବିଭିନ୍ନ କଲେଜ ଓ ବୋର୍ଡର ନକଲି ସାର୍ଟିଫିକେଟ୍ ଓ ସିଲ୍ ଜବତ ହୋଇଛି ।
ଶହେରୁ ଊଦ୍ଧ୍ୱର୍ ନାମୀଦାମୀ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍, ଷ୍ଟାମ୍ପ, ଲୋଗୋ, କମ୍ପୁ୍ୟଟର, ପ୍ରିଣ୍ଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କଠାରୁ ଜାଲ୍ ସାର୍ଟିଫିକେଟ୍ ନେଇ ଅନେକ ଯୁବକ-ଯୁବତୀ ଚାକିରି ପାଇଥିବା ମଧ୍ୟ ଜଣାପଡ଼ିଛି । ଅଧିକ ତଦନ୍ତ ଜାରି ରହିଛି ।