ବରଗଡ଼ରେ ୧୨ ଦିନ ଲୁଚିଥିଲା ଗୁଡ୍ଡୁ

ବରଗଡ଼, ୨୫ା୪(ଆପ୍ର): ଗୁଳିମାଡ଼ରେ ପ୍ରାଣ ହରାଇଥିବା ଗ୍ୟାଙ୍ଗଷ୍ଟର ଅତୀକ ଅହମଦର ଘନିଷ୍ଠ ସହଯୋଗୀ ତଥା ଉମେଶ ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଡୁ ମୁସଲିମ ବରଗଡ଼ରେ ୧୨ ଦିନ ଲୁଚି ରହିଥିଲା । ତା’ର ଏହି ଓଡ଼ିଶା ଲିଙ୍କ୍ ନେଇ ଚାଞ୍ଚଲ୍ୟକର ଖବର ମଙ୍ଗଳବାର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ପୁଲିସ୍କୁ ଚକ୍ମା ଦେବା ଉଦେ୍ଦଶ୍ୟରେ ସେ ଦାଢି ବଢାଇଛି । ଓଡ଼ିଶାରେ ୧୨ ଦିନ ରହିବା ପରେ ବର୍ତ୍ତମାନ ସେ ଛତିଶଡ଼ଗରେ ରହୁଥିବା ମିଡିଆ ରିପୋର୍ଟରୁ ଜଣାଯାଇଛି । ଗୁଡୁ ମୁସଲିମ ବରଗଡରେ ଏପ୍ରିଲ ୨ରୁ ୧୩ ତାରିଖ ଯାଏ ରହିଥିଲା । ସେ ଓଡ଼ିଶାରେ ଲୁଚି ରହିଥିବା ସୂଚନା ମିଳିବା ପରେ ଉତ୍ତର ପ୍ରଦେଶ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ତାକୁ ଧରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏସ୍ଟିଏଫ୍ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇ ଯାଇଥିଲା । ଗୁଡୁ ମୁସ୍ଲିମ୍ ବରଗଡରେ ଗୋଟିଏ ବ୍ୟାଗ ଛାଡ଼ି ଯାଇଛି । ଏସ୍ଟିଏଫ୍ ଉକ୍ତ ବ୍ୟାଗରୁ ତା’ର କିଛି ପୋଷାକ ଜବତ କରିଛି । ଉତ୍ତର ପ୍ରଦେଶ ଏସ୍ଟିଏଫ୍ ଓଡ଼ିଶାର ବରଗଡ଼ରେ ପହଞ୍ଚିବା ପରେ ୨ ଦିନ ରହିଥିଲା । ଏହି ସମୟରେ ଗୁଡୁର ସହଯୋଗୀ କୁହାଯାଉଥିବା ରାଜା ଖାନଙ୍କୁ ଏସ୍ଟିଏଫ୍ ସଦସ୍ୟମାନେ ଜେରା କରିଥିଲେ । ରାଜା ଖାନ୍ କହିଛି, ଗୁଡୁ ମୁସଲିମ ସବୁବେଳେ ଚିକ୍କଣ କରି ଦାଢି କାଟିଥାଏ । ଏବେ ସେ ପୁଲିସ୍କୁ ଚକ୍ମା ଦେବା ପାଇଁ ଦାଢିି ବଢାଇବା ସହ ଘନ ଘନ ସ୍ଥାନ ପରିବର୍ତ୍ତନ କରୁଛି ।
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ସମୟରେ ଗୁଡୁ ମୁସଲିମ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ସେ ବୋମା ମାଡ଼ କରୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଥିଲା । ହତ୍ୟାକାଣ୍ଡ ପରେ ସେ ମୀରଟ, ଆଜମେର, ଝାନସୀ, ନାଶିକ, ପୁଣେ ଓ ଶେଷରେ ଓଡ଼ିଶାର ବରଗଡ଼ରେ ପହଞ୍ଚିଥିଲା । ବରଗଡ଼ରୁ ସେ ଏବେ ଛତିଶଗଡ଼ ·ଲି ଯାଇଛି । ଓଡ଼ିଶା ଆସିବା ପୂର୍ବରୁ ଗୁଡୁ କର୍ଣ୍ଣାଟକରେ ଥିଲା ।
ଉତ୍ତର ପ୍ରଦେଶ ଏସ୍ଟିଏଫ୍ ମୁଖ୍ୟ ଅମିତାଭ ୟାଶ କହିଛନ୍ତି, ଅତୀକ ଅହମଦ ଗ୍ୟାଙ୍ଗର ସବୁଠାରୁ କୁଖ୍ୟାତ ଅପରାଧୀ ହେଉଛି ଗୁଡୁ ମୁସଲିମ । ତାକୁ ୧୯୯୯ରେ ଗିରଫ କରାଯାଇଥିଲା । ସେତେବେଳେ ସେ ଡ୍ରଗ୍ସ କାରବାର କରୁଥିଲା । ବୋମା ତିଆରି କରିବାରେ ସେ ମାହିର । ଉମେଶ ପାଲଙ୍କ ହତ୍ୟାକାଣ୍ଡର ସିସିଟିଭି ଫୁଟେଜକୁ ଦେଖି ମୁଁ ବେଶ ସହଜରେ ଗୁଡୁକୁ ଚିହ୍ନଟ କରିଥିଲି ।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଗୁଡୁ ଓଡ଼ିଶାରୁ ଛତିଶଗଡ଼ ଦେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦ ପଳାଇଛି । ତେବେ ପୁଲିସ୍ ଏ ସମ୍ପର୍କରେ କିଛି ମନ୍ତବ୍ୟ ଦେଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *