ଆଉ ୧ଠ ବର୍ଷ ହକି ଇଣ୍ଡିଆ ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର, ୨୪ା୪ (ବୁ୍ୟରୋ): ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜନ ଚୁକ୍ତିକୁ ଆଉ ୧୦ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ନିଷ୍ପତ୍ତିକୁ ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ପୂର୍ବରୁ ଓଏମ୍ସି ସରକାରଙ୍କ ଅନୁମୋଦନ କ୍ରମେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ହକି ଦଳ (ପୁରୁଷ, ମହିଳା, ସିନିୟର, ଜୁନିୟର)ର ପ୍ରାୟୋଜକ ପାଇଁ ହକି ଇଣ୍ଡିଆ ସହିତ ଚୁକ୍ତି କରିଥିଲା । ଚୁକ୍ତି ମିଆଦ ବୃଦ୍ଧି ପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଓଏମ୍ସି ସରକାରଙ୍କ ଅନୁମୋଦନ ଲୋଡ଼ିଥିଲା ଯାହାକୁ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି । ଏହି ନିଷ୍ପତ୍ତି ପରେ ଓଏମ୍ସି ଆଉ ୧୦ ବର୍ଷ ପାଇଁ ଅର୍ଥାତ୍ ୧ ଫେବୃୟାରୀ ୨୦୨୩ରୁ ୩୧ ଜାନୁୟାରୀ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ପ୍ରତିଶ୍ରୁତି ଦେଇଛି । ଏହି ସମୟ ମଧ୍ୟରେ ଓଏମ୍ସି ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରିବ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି କ୍ରୀଡ଼ା କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଓଡ଼ିଶା ଲଗାତାର ଦୁଇଥର ହକି ବିଶ୍ୱକପ୍ର ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ୍ନ ଦେଖିଛନ୍ତି । କ୍ୟାବିନେଟ୍ ମଞ୍ଜୁରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ହକିର ଲୋକପ୍ରିୟତା ବୃଦ୍ଧିରେ ଏହା ସହାୟକ ହେବ ।
ସାହାରା ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍‌ ଛାଡ଼ିବା ପରେ ଭାରତୀୟ ହକି ପାଇଁ ସଙ୍କଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଓଡ଼ିଶା ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା । ଓଡ଼ିଶା ସରକାର ଭାରତୀୟ ହକି ଟିମ୍କୁ ସ୍ପନସର କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ଦୁଇ ଦୁଇ ଥର ହକି ବିଶ୍ୱକପ୍‌ ଆୟୋଜନ କରି ହକିକୁ ନେଇ ନିଜ ପ୍ରତିବଦ୍ଧତାର ପରିଚୟ ଦେଇ ସାରିଛି । ୨୦୨୧ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ଟିମ୍କୁ ସ୍ପନସର କରିବେ ବୋଲି ଘୋଷଣା କରିଥିଲେ ।
ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସଫଳତା ମିଳିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ଏହି ଘୋଷଣା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *