ଜି-୨ଠ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ଆରମ୍ଭ
ଭୁବନେଶ୍ୱର, ୨୩ା୪(ବୁ୍ୟରୋ): ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି । ଆବହମାନ କାଳରୁ ଓଡ଼ିଶା ମାଟିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ ଆଇଏମ୍ଏମ୍ଟି ପରିସରରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’ ଶୀର୍ଷକରେ ଆୟୋଜିତ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ । ସେ କହିଲେ, ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି । ସେହି ପରିବର୍ତ୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତାନ୍ତ ଆବଶ୍ୟକ । ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଗୁରତ୍ୱ ଦେଇ ଆସୁଛନ୍ତି । ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଆମର ଯୁବଶକ୍ତିଙ୍କୁ ନିଯୁକ୍ତିଦାତାଭାବେ ଗଢିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି । ୨୦୪୭ ସୁଦ୍ଧା ବିଶ୍ୱର ଯୁବବର୍ଗ ମଧ୍ୟରୁ ୨୫ ପ୍ରତିଶତ କେବଳ ଭାରତରେ ଥିବେ । ଆଗାମୀ ୨୫ ବର୍ଷର ଅମୃତ କାଳରେ ଡିଗ୍ରୀ ନୁହେଁ, ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ । ତେଣୁ ଏହି ସମୟରେ ଆଗାମୀ ଦିନର କାର୍ଯ୍ୟଶୈଳୀର ରୂପରେଖ ଅନୁସାରେ ଦେଶର ଯୁବ ସମ୍ବଳ ପ୍ରସ୍ତୁତ କରିବାକୁ ହେବ । ଏ ଦିଗରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ବିଶେଷ ଭାବରେ ସହାୟକ ହେବ ।
ଆଜି ସାରା ଦେଶ ଏବଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ସମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି । ଆମର କଥାବସ୍ତୁ ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ ସହ ଭାରତ ବଶ୍ୱ କଲ୍ୟାଣରେ ବ୍ରତୀ ହାଇଛି । ବସୁଧୈବ କୁଟୁମ୍ବକମ୍ ଆମର ମୂଳ ମନ୍ତ୍ର ରହି ଆସିଛି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ମାନବ ସମ୍ବଳ, ସୁଦୀର୍ଘ ବେଳାଭୂମି ରହିଛି । ଏହି ମର୍ମରେ ଓଡ଼ିଶା ବିଶ୍ୱ ଦକ୍ଷତା ପରିସଂସ୍ଥାନରେ କିପରି ନିଜ ସ୍ଥାନ ନିରୂପଣ କରିବ ତାହା ଉପରେ ଆଲୋଚନା ହେବ । ଏକବିଂଶ ଶତାବ୍ଦୀରେ ରୋଜଗାର ଓ କାର୍ଯ୍ୟର ସ୍ୱଭାବ କଣ ରହିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।
ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଏବଂ ଟେକ୍ନୋଲଜିର ଯୁଗ ହେବ । ଭାରତର ଅନୁକୂଳ ଭୌଗୋଳିକ ସ୍ଥିତି, ଜ୍ଞାନର ଭଣ୍ଡାର ସହ ସୃଜନଶୀଳ ସମ୍ବଳ, ସୁଦୃଢ ବଜାର ରହିଛି । ଏହା ମାଧ୍ୟମରେ ଭାରତ ଏକବିଂଶ ଶତାବ୍ଦୀରେ ସବୁ ସାମର୍ଥ୍ୟ ଉପଯୋଗ କରି ବ୍ୟାପକ ପରିବର୍ତ୍ତନର ସାରଥୀ ହେବା ସହିତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ । ଅଟୋମେସନ୍, ମେକାନାଇଜେସନ୍, ଡିଜିଟାଇଜେସନ୍ ଏବଂ ଟେକ୍ନୋଲଜି ପୁରୁଣା କାର୍ଯ୍ୟ ପଦ୍ଧତିକୁ ପରିବର୍ତ୍ତନ କରୁଛି ଏବଂ ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି । ଏହାର ଅର୍ଥ ହେଉଛି ଆମ ପାଇଁ ସବୁବେଳେ ସ୍କିଲ୍, ରି-ସ୍କିଲ୍ ଏବଂ ଅପ୍-ସ୍କିଲ୍ର ଆବଶ୍ୟକତା ରହିଛି । କୋୱିନ ଆପ୍ରେ ଟିକାକରଣ, ୟୁପିଆଇ ପେମେଣ୍ଟ ଭାରତର ଡିଜିଟାଲ କ୍ଷମତାର ଶକ୍ତି ଦର୍ଶାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଏକ ଦସ୍ତାବିଜ ନୁହେଁ ବରଂ ବିଶ୍ୱ କଲ୍ୟାଣର ରୋଡ୍ମ୍ୟାପ୍ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷ ଏବଂ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଆଇଜର, ନାଇଜର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।