ରଥ ନିର୍ମାଣ ଅନୁକୂଳ
ପୁରୀ, ୨୩ା୪(ବୁ୍ୟରୋ): ପବିତ୍ର ଅକ୍ଷୟ ତୃତୀୟାରେ ରବିବାର ଶ୍ରୀଜିଉଙ୍କ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ନିର୍ମାଣ ଅନୂକୁଳ ହୋଇଛି । ଅପରାହ୍ଣ ୪ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ରଥଖଳାରେ ବିଜେ ହେବା ପରେ ରଥ କାର୍ଯ୍ୟ ଅନୁକୂଳ ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ସ୍ନାନ କରାଯାଇ ରଖାଯାଇଥିଲା । ଦେଉଳ ପୁରୋହିତ ସିଦେ୍ଧଶ୍ୱର ମହାପାତ୍ର ଓ ଶ୍ରୋତ୍ରୀୟ ବ୍ରାହ୍ମଣ ରଥଖଳାରେ ବନଯାଗର ସଂକ୍ଷିପ୍ତ ପଦ୍ଧତିରେ ରଥ କାଠ ଅନୁକୂଳ ନୀତି କରିଥିଲେ । ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନି ଆଣି ହୋମରେ ଅଗ୍ନିସ୍ଥାପନ କରାଯାଇଥିଲା । ନୃସିଂହ ମନ୍ତ୍ରରେ ଆହୁତି ଦିଆଯାଇଥିଲା । ମା’ଦକ୍ଷିଣକାଳୀଙ୍କ ମନ୍ତ୍ରରେ ତିନୋଟି ନୂତନ କୁରାଢ଼ି ଅଭିମନ୍ତ୍ରିତ କରି ପୂଜା କରାଯାଇଥିଲା ।
ଅପରପକ୍ଷରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାଜନ ସେବକ ରାମ, କୃଷ୍ଣଙ୍କୁ ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ କରାଇଥିଲେ । ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଣିବିମାନରେ ବିଜେ କରାଇଥିଲେ । ୩ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ୩ ଗୋଟି ଆଜ୍ଞାମାଳ ନେଇ ପାଲିଙ୍କି ଓ ବିମାନ ଆଗେ ଆଗେ ରଥଖଳାକୁ ଯାଇଥିଲେ । ବିମାନ ବଡୁମାନେ ସିଂହଦ୍ୱାର ଦେଇ ପାଲିଙ୍କି ଓ ବିମାନରେ ଠାକୁରଙ୍କୁ ନେଇ ରଥଖଳାରେ ପହଞ୍ଚିଥିଲେ । ଠାକୁରଙ୍କ ପଛେ ପଛେ ବିମାନରେ ପଞ୍ଚ ମହାଦେବ ଆସିଥିଲେ । ଠାକୁରଙ୍କ ଉପସ୍ଥିତିରେ ଆଜ୍ଞାମାଳ ତିନିଖଣ୍ଡ ଧଉରା କାଠରେ ବିଜେ କରାଯାଇଥିଲା । ଦେଉଳ ପୁରୋହିତ ତଥା ଆଚାର୍ଯ୍ୟ ପୂଜା ହୋଇଥିବା କୁରାଢ଼ିରେ ସ୍ପର୍ଶ କରି ରଥ ଅନୁକୂଳ କରିଥିଲେ । ରଥ ନିର୍ମାଣ ଅନୁକୂଳ ଲାଗି ଆଚାର୍ଯ୍ୟ ଓ ବ୍ରହ୍ମାଭାବେ ପୁରୋହିତଙ୍କୁ ବରଣ କରାଯାଇଥିଲା । ତତ୍ସହିତ ଏହି ଅବସରରେ ରଥକାର୍ଯ୍ୟ ନିମନ୍ତେ ବିଶ୍ୱକର୍ମାଙ୍କୁ ବରଣ କରାଯାଇଥିଲା । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ରଥ ନିର୍ମାଣ ସହିତ ସମ୍ପୃକ୍ତ ବିଶ୍ୱକର୍ମା, ରୂପକାର ଏବଂ ଭୋଇସେବକଙ୍କୁ ଶାଢ଼ି ବାନ୍ଧିଥିଲେ । ନନ୍ଦିଘୋଷ ରଥର ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର, ତାଳଧ୍ୱଜ ରଥର ବିଶ୍ୱକର୍ମା ନୃସିଂହ ମହାପାତ୍ର ଏବଂ ଦର୍ପଦଳନ ରଥର ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କୁ ଶାଢ଼ି ବନ୍ଧାଇ ଥିଲେ । ସେହିପରି ତିନି ରଥର ରୂପକାର ସେବାୟତଙ୍କୁ ଶାଢ଼ି ବନ୍ଧା ଯାଇଥିଲା । ରଥ ନିର୍ମାଣ ଅନୁକୂଳ ସମୟରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।