ରାଜସ୍ଥାନକୁ ହରାଇଲା ବାଙ୍ଗାଲୋର

ବେଙ୍ଗାଲୁରୁ, ୨୩ା୪ (ଏଜେନ୍ସି): ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ରବିବାର ଚଳିତ ଆଇପିଏଲ୍ର ୩୨ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୭ ରନ୍ରେ ପରାସ୍ତ କରିଛି । ବାଙ୍ଗାଲୋରର ଏହା ସପ୍ତମ ମ୍ୟାଚ୍ରେ ଚତୁର୍ଥ ବିଜୟ, ଅନ୍ୟପଟେ ରାଜସ୍ଥାନର ସମାନ ସଂଖ୍ୟକ ମ୍ୟାଚ୍ରୁ ତୃତୀୟ ପରାଜୟ । ମ୍ୟାଚ୍ରେ ସର୍ବାଧିକ ୭୭ ରନ୍ର ଇନିଂସ୍ ଖେଳିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
କୋହଲିଙ୍କ ନେତୃତ୍ୱରେ ନେତୃତ୍ୱରେ ବାଙ୍ଗାଲୋର କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ବିଜୟ ହାସଲ କରିଛି । ତେବେ ରାଜସ୍ଥାନ ବିପକ୍ଷରେ ଏହା ଟିମ୍ର ଓଭର୍ଅଲ୍ ୨୯ ମ୍ୟାଚ୍ରୁ ୧୪ତମ ବିଜୟ ଯେତେବେଳେକି ରାଜସ୍ଥାନ ୧୨ ମ୍ୟାଚ୍ ଜିତିଛି ।
୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଦେବଦତ୍ତ ପଡିକ୍କଲ ସର୍ବାଧିକ ୫୨ ରନ୍ କରିଥିବା ବେଳେ ବିପକ୍ଷ ବୋଲର୍ ହର୍ଷଲ ପଟେଲ୍ ତିନି ଏବଂ ମହମ୍ମଦ ସିରାଜ ଓ ଡେଭିଡ୍ ୱିଲୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ପ୍ରଥମ ଓଭର୍ରେ ଜୋସ୍ ବଟ୍ଲର୍ଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ ସିରାଜ । ଏହାପରେ ଅନ୍ୟତମ ଓପନର୍ ଯଶସ୍ୱୀ ଜୟସ୍ୱାଲ୍ ଓ ପଡିକ୍କଲ ଇନିଂସ୍ ସମ୍ଭାଳିଥିଲେ । ଇତ୍ୟବସରେ ପଡିକ୍କଲ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଏହାପରେ ସେ ଆଉ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ନ ଥିଲେ ଏବଂ ୩୪ ବଲ୍ରୁ ୫୨ ରନ୍ କରି ୱିଲୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୬୬ ବଲ୍ରୁ ୯୮ ରନ୍ର ଭାଗୀଦାରୀ ହୋଇଥିଲା ।
ଜୟସ୍ୱାଲ୍ (୩୭ ବଲ୍ରୁ ୪୭)ଙ୍କ ୱିକେଟ୍ ହର୍ଷଲ ପଟେଲ୍ଙ୍କ ଖାତାକୁ ଯାଇଥିଲା । ଅଧିନାୟକ ସଞ୍ଜୁ ସାମ୍ସନ୍ ୨୨ ରନ୍ର ଇନିଂସ୍ ଖେଳି ହର୍ଷଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଶିମରନ୍ ହେଟ୍ମାୟର ମାତ୍ର ୩ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ଏହାପରେ ଧ୍ରୁବ ଜୁରେଲ୍ ପ୍ରୟାସ କରିଥିଲେହେଁ ସେ ଟିମ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇପାରି ନ ଥିଲେ । ତାଙ୍କ ଯୋଡ଼ିଦାର ରବିଚନ୍ଦ୍ରନ ଅଶ୍ୱିନ ୧୨ ରନ୍ କରି ଶେଷ ଓଭର୍ରେ ହର୍ଷଲଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଧ୍ରୁବ ୧୬ ବଲ୍ରୁ ୩୪ ଓ ଅବଦୁଲ ବସିଥ ୧ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ରାଜସ୍ଥାନ ଟିମ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସଞ୍ଜୁ ସାମ୍ସନ୍ଙ୍କ ଟିମ୍ ବିନା ପରିବର୍ତ୍ତନରେ ମଇଦାନକୁ ଓହ୍ଲାଇଥିଲା । ତେବେ ବାଙ୍ଗାଲୋର ଟିମ୍ରେ ଗୋଟିଏ ପରିବର୍ତ୍ତନ ହୋଇଥିଲା । ୱେନ୍ ପର୍ନେଲ୍ଙ୍କ ସ୍ଥାନରେ ଡେଭିଡ୍ ୱିଲୀଙ୍କୁ ସୁଯୋଗ ମିଳିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିବା କୋହଲି ମ୍ୟାଚ୍ର ପ୍ରଥମ ବଲ୍ରେ ଖାତା ଖୋଲି ନ ପାରି ବୋଲ୍ଟଙ୍କ ଶିକାର ହୋଇଥିଲେ । ନୂଆ ବ୍ୟାଟର୍ ଶାହବାଜ ଅହମଦ (୨) ବି ବୋଲ୍ଟଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଏହାପରେ ଫାଫ୍ ଡୁ’ ପ୍ଲେସିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ମିଶି ୬୭ ବଲ୍ରୁ ୧୨୭ ରନ୍ର ଧୂଆଁଦାର ଭାଗୀଦାରୀ କରିଥିଲେ । ଆଇପିଏଲ୍ରେ ମ୍ୟାକ୍ସୱେଲ୍ (୨୭ ବଲ୍ରୁ) ୧୬ତମ ଓ ଡୁ’ ପ୍ଲେସିସ୍ (୩୧ ବଲ୍ରୁ) ୩୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଡୁ’ ପ୍ଲେସିସ୍ ୩୯ ବଲ୍ରୁ ୬୨ (୮ ଚୌକା ଓ ୨ ଛକା ସହାୟତାରେ) ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ଏହାପରେ ମ୍ୟାକ୍ସୱେଲ୍ ୪୪ ବଲ୍ରୁ ୭୭ (୬ ଚୌକା ଓ ୪ ଛକା ସହାୟତାରେ) ରନ୍ କରି ଅଶ୍ୱିନଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦିନେଶ କାର୍ତ୍ତିକ ୧୬, ମହିପାଲ୍ ଲୋମରୋର୍ ୮, ହସରଙ୍ଗା ଡି’ ସିଲ୍ଭା ୬, ଡେଭିଡ୍ ୱିଲୀ ଅପରାଜିତ ୪ ଓ ମହମ୍ମଦ ସିରାଜ ଅପରାଜିତ ୧ ରନ୍ କରିଥିଲେ । ବିପକ୍ଷ ବୋଲର୍ ବୋଲ୍ଟ ଓ ସନ୍ଦୀପ ଶର୍ମା ୨ ଲେଖାଏଁ ଏବଂ ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *