ପଶ୍ଚିମା ଝଡ଼ ସକ୍ରିୟ, ୩ ଦିନ ବର୍ଷା
ଭୁବନେଶ୍ୱର, ୨୩ା୪(ବୁ୍ୟରୋ): ରାଜ୍ୟରେ ଗତ ଦୁଇ ଦିନ ଧରି ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବାବେଳେ ଉତ୍ତର ପ୍ରଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସ୍ଥାୟୀଭାବେ ଦୂର ହୋଇଛି । କୋହଲା ପାଗ ଜାରି ରହିଛି । ଏଭଳି ସ୍ଥିତି ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶଖୀଜନିତ ବର୍ଷା ସମ୍ଭାବନା ଦୃଷ୍ଟିରୁ ୧୩ ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଥିବା ବେଳେ ପ୍ରବଳ କୁଆପଥର ବୃଷ୍ଟି ନେଇ ୮ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ମୁକାବିଲା ନେଇ ଚିଠି ଲେଖିଛନ୍ତି ଏସ୍ଆର୍ସି । ବିଶେଷକରି ବିଜୁଳି ଘଡଘଡି ସହ ପବନ ହେବାକୁ ଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବା ସହିତ ବର୍ଷା ଜାରି ରହିବ । ହିମାଳୟର ପାଦଦେଶରେ ଏକ ନିମ୍ନ ଚାପରେଖା ପଶ୍ଚିମବଙ୍ଗ ଉପତ୍ୟକାରୁ ସିକିମ୍ ଓ ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଛି । ଏହା ସହିତ ଓଡିଶା ନିକଟରେ ଆଉ ଏକ ନିମ୍ନ ଚାପରେଖା ୦.୯ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ସେହିପରି ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଅଞ୍ଚଳରେ ଘଡଘଡି ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି । ବିଶେଷ କରି କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୨୮ ତାରିଖ ପରେ ତାପମାତ୍ରା ସ୍ୱଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ କରାଯାଇଛି ।