୩୬ ଦିନ ପରେ ଅମୃତପାଲ ଗିରଫ

ଅମୃତସର/ଦିବ୍ରୂଗଡ଼, ୨୩ା୪: ଛତିଶ ଦିନ ହେଲା ପୁଲିସ ସହ ଲୁଚକାଳି ଖେଳି ଆସୁଥିବା ପଳାତକ ଖଲିସ୍ତାନ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ’ର ମୁଖିଆ ଅମୃତପାଲ ସିଂହକୁ ରବିବାର ସକାଳ ୬.୪୫ରେ ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ରୋଡେ ଗ୍ରାମର ଗୁରୁଦ୍ୱାରରୁ ଗିରଫ କରାଯାଇଛି । ରୋଡେ ହେଉଛି ଅପରେସନ ବ୍ଲୁ ଷ୍ଟାର୍ରେ ନିହତ ଖଲିସ୍ତାନୀ ସଂତ୍ରାସବାଦୀ ଭିଣ୍ଡ୍ରଁୱାଲେର ଗାଁ । କଡ଼ା ସୁରକ୍ଷା ବନେ୍ଦାବସ୍ତରେ ଅମୃତପାଲକୁ ଆସାମର ଦିବ୍ରୂଗଡ଼ ଜେଲ୍କୁ ସ୍ଥାନାନ୍ତର କରାଯାଇ ଏକ ସ୍ୱତନ୍ତ୍ର ସେଲ୍ରେ ରଖାଯାଇଥିବା ଜଣାପଡ଼ିଛି । ଅମୃତପାଲ ମାର୍ଚ୍ଚ ୧୮ରୁ ଫେରାର୍ ଥିଲା । ଗିରଫ ହେବା ପୂର୍ବରୁ ଅମୃତପାଲ ରୋଡ଼େ ଗ୍ରାମର ଗୁରୁଦ୍ୱାରରେ ପ୍ରବଚନ ଦେଇ ଶିଖ୍ମାନଙ୍କୁ ଭାରତ ବିରୋଧରେ ଉସ୍କାଉଥିଲା । ପୁଲିସ୍ ଗୁରୁଦ୍ୱାରକୁ ଘେରିଯିବା ପରେ ସେ ବାହାରକୁ ଆସି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା । ରାଷ୍ଟ୍ରୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ତାକୁ ଗିରଫ କରାଯିବା ପରେ ବଠିଣ୍ଡା ବାୟୁସେନା ଘାଟିକୁ ନିଆଯାଇ ସେଠାରୁ ଦିବ୍ରୂଗଡ଼ ଜେଲ୍ ପଠାଯାଇଥିଲା । ପୂର୍ବୋତ୍ତରର ସର୍ବପୁରାତନ (୧୬୩ ବର୍ଷର) ଦିବ୍ରୂଗଡ଼ ଜେଲ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରି ଦିଆଯାଇଛି । ପୂର୍ବରୁ ସେହି ଜେଲ୍ରେ ଥିବା ଖଲିସ୍ତାନ ସମର୍ଥକମାନଙ୍କ ଠାରୁ ଅମୃତପାଲକୁ ଅଲଗା କରି ରଖାଯାଇଛି । ଜେଲ୍ ଭିତରେ ଓ ବାହାରେ ଆସାମ ପୁଲିସ୍ର ବ୍ଲାକ୍ କ୍ୟାଟ୍ କମାଣ୍ଡୋ, ସିଆର୍ପିଏଫ୍ ଯବାନ ଏବଂ ସାଧାପୋଷାକଧାରୀ ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି ।
ଏ ପର୍ଯ୍ୟନ୍ତ ଅମୃତପାଲର ୧୧୪ ସହଚର ଗିରଫ ହେଲେଣି । ତା’ ଚାଚା ଓ ଅନ୍ୟ ୬ଜଣ ସହଯୋଗୀଙ୍କ ନାମରେ ଏନ୍ଏସ୍ଏ ଲଗାଯାଇଛି । ଅମୃତପାଲ ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ଥିବା ଭାରତ ବିରୋଧୀ ନେତାମାନଙ୍କ ସହ ସମ୍ପର୍କ ରଖିଥିବା ପୁଲିସ ନଜରକୁ ଆସିଛି । ଏବେ ଗୁଇନ୍ଦା ବୁ୍ୟରୋ (ଆଇବି), ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ (ର’) ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଏକ ଟିମ୍ ଦିବ୍ରୂଗଡ଼ ଜେଲ୍ରେ ଅମୃତକୁ ଜେରା କରିବେ ।
ଅମୃତପାଲ ଗିରଫ ହେବା ପରେ ଗଣ୍ଡଗୋଳ ଆଶଙ୍କାରେ ରୋଡେ ଗ୍ରାମରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନମାନଙ୍କୁ ମୁତୟନ କରିବା ସହ ରାଜ୍ୟର ବହୁ ସହରରେ ଫ୍ଲାଗ୍ମାର୍ଚ୍ଚ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *