ଶଙ୍ଖ ଭବନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩ା୪(ବୁ୍ୟରୋ): ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଶଙ୍ଖ ଭବନରୁ ଓଡିଶାବାସୀଙ୍କୁ ସମ୍ବାଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାକୁ ଭଲ ପାଉଥିବା ତଥା ଓଡିଶାର ବିକାଶ ପାଇଁ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ଏବଂ ଏକ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଶଙ୍ଖ ଭବନ । ଏହା ହେବ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଭବନ । ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ମୁଖ୍ୟମନ୍ତ୍ରୀ କହିଲେ, ୧୯୯୭ ଥିଲା ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜେଡି ଆଜି ଏକ ସାମାଜିକ ଆନେ୍ଦାଳନରେ ରୂପାନ୍ତରିତ ହୋଇଛି, ବିଜୟର ଶୁଭଶଙ୍ଖ ବାଜି ଚାଲିଛି । ଏ ଶଙ୍ଖ ଭବନ ହେବ ସାଢ଼େ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ଭବନ । ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ । ସାଢେ ଚାରି କୋଟି ଓଡଶାବାସୀଙ୍କୁ ଏକାଠି କରିବ । ଓଡିଶାର ବିକାଶ ପାଇଁ ସମର୍ପିତ ହେବ । ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ । ଜୟ ଜଗନ୍ନାଥ ଧ୍ୱନିରେ ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ୱ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର୍ର ମଧ୍ୟ ହେବ । ବିଶ୍ୱ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରିବା ସହ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ପ୍ରଚାର କରିଚାଲିବ । ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ଥିିରତା ଆମକୁ ସଫଳତା ଦେଇଛି । ସାଧୁତା ଆନନ୍ଦର ମାର୍ଗ ଖୋଲିଛି । ଶାନ୍ତି ଆମକୁ ସମୃଦ୍ଧି ଦେଇଛି ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି ।
ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ, ଛାତ୍ର, ମହିଳା କର୍ମୀ ଏବଂ ନେତା, ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ । ସେବାର ସଂସ୍କୃତିକ ଓ ବିକାଶକୁ ଆଗକୁ ନେବା, ଓଡିଶା ମା’ର ଗୌରବକୁ ଆହୁରି ଉଜ୍ଜ୍ୱଳ କରିବା ଉଦେ୍ଦଶ୍ୟରେ ନିଜକୁ ସମର୍ପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।
ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡିକରେ ଉକ୍ରଳମଣି ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଭୀମଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ, ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି, ଧରଣୀଧର ଭୂୟାଁ, ମା’ ରମାଦେବୀ, ପାର୍ବତୀ ଗିରି, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, କୁନ୍ତଳା କୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ । ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଟାଲିସମାନ (ତାବିଜ) ଶୋଭା ପାଇବ ଏବଂ ଓଡ଼ିଶାର ୩୦ ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ରହିବ । ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ । ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ ।