ମୋଦୀଙ୍କୁ ହତ୍ୟା ଧମକ

ଥୀରୁଅନନ୍ତପୁରମ୍, ୨୨ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେରଳ ଗସ୍ତ ପୂର୍ବରୁ ରାଜ୍ୟବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଉପରେ ଆତ୍ମଘାତୀ ବୋମା ଆକ୍ରମଣ ଧମକ ମିଳିବା ପରେ କେରଳ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସିମାନେ ତଦନ୍ତ ଆରମ୍ଭ କରିଛନ୍ତି ।
ଆହୁରି ଉଦ୍ବେଗର ବିଷୟ ହେଉଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତକ୍ରମ ସମ୍ବନ୍ଧୀୟ ୪୯ ପୃଷ୍ଠାର ଟିକିନିଖି ଗୁଇନ୍ଦା ବିବରଣୀ (ଇଣ୍ଟେଲିଜେନ୍ସ ଏଡିଜିପି ଟି.କେ. ବିନୋଦ କୁମାରଙ୍କ ରିପୋର୍ଟ) ଲିକ୍ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡୁ୍ୟଟିରେ ରହିବାକୁ ଥିବା ପୁଲିସ କର୍ମଚାରୀ, ଅଫିସର, ସେମାନଙ୍କ ପୋଜିସନ୍, ପ୍ରଧାନମନ୍ତ୍ରୀଙ୍କ ବିସ୍ତୃତ କାର୍ଯ୍ୟକ୍ରମ ଚାର୍ଟ ସହିତ ଅନ୍ୟାନ୍ୟ ବିବରଣୀ ତଥା ରାଜ୍ୟ ବିଜେପି ସଭାପତି କେ. ସୁରେନ୍ଦ୍ରନ୍ଙ୍କୁ ମିଳିଥିବା ଆତ୍ମଘାତୀ ଧମକ ସମ୍ବନ୍ଧୀୟ ଚିଠି କଥା ଉଲ୍ଲେଖ ଅଛି । ରିପୋର୍ଟରେ କେରଳର ଆତଙ୍କବାଦୀ, ଦେଶ ବିରୋଧୀ ସଙ୍ଗଠନଗୁଡିକର ଉପସ୍ଥିତି ପ୍ରସଙ୍ଗ ମଧ୍ୟ ରହିଛି । ରିପୋର୍ଟ ଲିକ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବନେ୍ଦାବସ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲିକ୍ ପଛରେ କେତେକ ପୁଲିସ କର୍ମଚାରୀଙ୍କ ହାତ ଥିବା ସନେ୍ଦହ କରାଯାଉଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ଠାରୁ କୈଫିୟତ ତଲବ କରିଥିବା ବେଳେ ବିଦେଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ ଏହା ଉପରେ ତଦନ୍ତ ଦାବି କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆସନ୍ତା ୨୪ ଓ ୨୫ ତାରିଖ ଦିନ କେରଳ ଗସ୍ତରେ ଆସି ରାଜ୍ୟରେ ପ୍ରଥମ ବନେ୍ଦ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଓ ୱାଟର ମେଟ୍ରୋର ଶୁଭାରମ୍ଭ କରିବେ । ୨୪ ତାରିଖ ଦିନ କୋଚିଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଆତ୍ମଘାତୀ ବୋମା ବିସ୍ଫୋରଣ କରି ରାଜୀବ ଗାନ୍ଧୀଙ୍କ ଭଳି ତାଙ୍କୁ ଉଡାଇ ଦିଆଯିବ ବୋଲି ଚିଠି ମାଧ୍ୟମରେ ଧମକ ମିଳିଛି । ଚିଠିରେ ଏର୍ଣ୍ଣାକୁଲମ୍ ନିବାସୀ ଜନୈକ ଯୋଶେଫ ଜନିର ନାମ ଓ ଠିକଣା ଅଛି । ପୁଲିସ ଜନିକୁ ଜେରା କରିବା ସହ ତା’ ହସ୍ତାକ୍ଷର ଯାଞ୍ଚ କରି ଜାଣିବାକୁ ପାଇଛି ଯେ ଚିଠିଟିକୁ ସେ ଲେଖିନାହିଁ । ଏହି ଚିଠି ୧୭ତାରିଖ ଦିନ କୋଚ୍ଚୀସ୍ଥିତ ବିଜେପି କାର୍ଯ୍ୟାଳୟକୁ ଆସିଥିଲା । କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନ୍ ତାହାକୁ ପୁଲିସକୁ ହସ୍ତାନ୍ତର କରିବା ପରେ ବିମାନବନ୍ଦର, ରେଳଷ୍ଟେସନ ଓ ସବୁ ବସ୍ଣ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *