ଗୁଜରାଟକୁ ଜିତାଇଲେ ମୋହିତ

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ ୨୦୨୩
ଶେଷ ଓଭର୍ରେ ୪ ୱିକେଟ୍ ହରାଇ ହାରିଲା ଲକ୍ଷ୍ନୌ
ଲକ୍ଷ୍ନୌ, ୨୨ା୪ (ଏଜେନ୍ସି): ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଶନିବାର ଚଳିତ ଆଇପିଏଲ୍ର ୩୦ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସକୁ ୭ ରନ୍ରେ ରୋମାଞ୍ଚକ ଭାବେ ପରାସ୍ତ କରିଛି । ଏହି ଲୋ-ସ୍କୋରିଂ ମୁକାବିଲାରେ ଗୁଜରାଟର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପେସର୍ ମୋହିତ ଶର୍ମା ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ଲକ୍ଷ୍ନୌ ବିପକ୍ଷରେ ଗୁଜରାଟର ଏହା ହାଟ୍ରିକ୍ ବିଜୟ ।
ଶେଷ ଓଭର୍ର ରୋମାଞ୍ଚ
ଶେଷ ଓଭର୍ରେ ଲକ୍ଷ୍ନୌକୁ ଜିତିବା ପାଇଁ ୧୨ ରନ୍ ଆବଶ୍ୟକ ଥିଲା । ହାତରେ ଥିଲା ୭ ୱିକେଟ୍ । ଷ୍ଟ୍ରାଇକ୍ରେ ଥିଲେ ଅଧିନାୟକ ଲୋକେଶ ରାହୁଲ ଓ ନନ୍ ଷ୍ଟ୍ରାଇକ୍ରେ ଆୟୁଷ ବଦୋନୀ । ବୋଲିଂ ପାଇଁ ଆସିଥିଲେ ୩୪ବର୍ଷୀୟ ପେସର୍ ମୋହିତ ଶର୍ମା ।
ପ୍ରଥମ ବଲ୍ରେ ରାହୁଲ ୟର୍କରକୁ ସାମ୍ନା ପଟକୁ ଖେଳି ୨ ରନ୍ ନେଇଥିଲେ । ଦ୍ୱିତୀୟ ବଲ୍ରେ ମୋହିତ ସର୍ଟ ପିଚ୍ ପକାଇଥିଲେ । ରାହୁଲ ସ୍କୋୟାର୍ ଲେଗ୍ରେ ସଟ୍ ମାରିଥିଲେ, କିନ୍ତୁ ଏହାକୁ କ୍ୟାଚ୍ ଧରିଥିଲେ ଜୟନ୍ତ ଯାଦବ । ତୃତୀୟ ବଲ୍ରେ ନୂଆ ବ୍ୟାଟର୍ ମାର୍କସ ଷ୍ଟୋଇନିସ୍ଙ୍କ ସଟ୍କୁ ଡେଭିଡ୍ ମିଲର୍ କ୍ୟାଚ୍ ଧରିଥିଲେ । ମୋହିତଙ୍କ ଚତୁର୍ଥ ବଲ୍କୁ ସାମ୍ନା କରିଥିଲେ ପରବର୍ତ୍ତୀ ବ୍ୟାଟର୍ ଦୀପକ ହୁଡ଼ା । ହୁଡ଼ା ସ୍ଲୋ ୟର୍କରକୁ ସାମ୍ନା ପଟକୁ ଖେଳିଥିଲେ । ଦ୍ୱିତୀୟ ରନ୍ ନେବା ପ୍ରୟାସରେ ନନ୍ ଷ୍ଟ୍ରାଇକର୍ ବଦୋନୀ ରନ୍ଆଉଟ୍ ହୋଇଥିଲେ ।
ଏହାପରେ ଲକ୍ଷ୍ନୌକୁ ୨ ବଲ୍ରେ ୯ ରନ୍ ଆବଶ୍ୟକ ପଡ଼ିଲା । ପଞ୍ଚମ ବଲ୍ ବି ୟର୍କର ଥିଲା । ହୁଡ଼ା ଡିପ୍ ମିଡ୍ୱିକେଟ୍ରେ ସଟ୍ ଖେଳିଥିଲେ, କିନ୍ତୁ ଦ୍ୱିତୀୟ ରନ୍ ନେବା ବେଳକୁ ରନ୍ଆଉଟ୍ ହୋଇଥିଲେ । ଏହାପରେ ଗୋଟିଏ ବଲ୍ରେ ୮ ରନ୍ ଲୋଡ଼ା ଥିଲା । ରବି ବିଷ୍ଣୋଇ ଶେଷ ବଲ୍ ଖେଳିଥିଲେ । ଏହା ଡଟ୍ ବଲ୍ ହୋଇଥିଲା ।
୧୨୮ରେ ଅଟକିଥିଲା ଲକ୍ଷ୍ନୌ ଇନିଂସ୍
ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ଟିମ୍ ମାତ୍ର ୧୩୬ ରନ୍ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନ ଥିଲା ଯେତେବେଳେକି ଟିମ୍ରେ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରୀ ହୋଇଥିଲା । ଧାର୍ଯ୍ୟ ୨୦ ଓଭର୍ରେ ଟିମ୍ ୭ ୱିକେଟ୍ ହରାଇ ୧୨୮ ରନ୍ କରିବାକୁ ସମର୍ଥ ହୋଇଥିଲା ।
ଟିମ୍ର ପରାଜୟର କାରଣ ଥିଲା ଧୀମା ବ୍ୟାଟିଂ ପ୍ରଦର୍ଶନ, ଅନ୍ୟଥା ମ୍ୟାଚ୍ ଶେଷ ଓଭର୍ ପର୍ଯ୍ୟନ୍ତ ଯାଇ ନ ଥା’ନ୍ତା ।
ଅଧିନାୟକ ରାହୁଲ ୬୧ ବଲ୍ ଖେଳି ୬୮ ରନ୍ର ଇନିଂସ୍ ଖେଳିଥିଲେ । କାଇଲ୍ ମାୟର୍ସ ୧୯ ବଲ୍ରୁ ୨୪ ରନ୍ କରିଥିବା ବେଳେ କୃଣାଲ ପାଣ୍ଡ୍ୟା ୨୩ ବଲ୍ରୁ ୨୩ ରନ୍ କରିଥିଲେ । ରାହୁଲ ଓ ମାୟର୍ସ ଓପନିଂ ୱିକେଟ୍ରେ ୫୫ ଏବଂ ରାହୁଲ ଓ କୃଣାଲଙ୍କ ଦ୍ୱିତୀୟ ୱିକେଟ୍ ପାଇଁ ୫୧ ରନ୍ର ଭାଗୀଦାରୀ କରିଥିଲେ ।
ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ନିକୋଲାସ୍ ପୂରନ୍ ୭ ବଲ୍ ଖେଳି ମାତ୍ର ୧ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ନୁର୍ ଅହମଦ ଦୁଇ ଲେଖାଏଁ ୱିକେଟ୍ ନେଇଥିବା ବେଳେ ରଶିଦ ଖାନ୍ ଗୋଟିଏ ୱିକେଟ୍ ପାଇଥିଲେ ।
ହାର୍ଦ୍ଦିକଙ୍କ ଉଜ୍ଜ୍ୱଳ ଅର୍ଦ୍ଧଶତକ
ଗୁଜରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ଓଭର୍ରେ ୬ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ବଲ୍ରୁ ୨ ଚୌକା ଓ ୪ ଛକା ସହାୟତାରେ ୬୬ ରନ୍ର ଉଜ୍ୱଳ ଇନିଂସ୍ ଖେଳିଥିଲେ । ସେ ୪୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ହାର୍ଦ୍ଦିକ ଓ ରିଦ୍ଧିମାନ ସାହାଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୮ ରନ୍ର ଭାଗୀଦାରୀ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସାହା ୩୭ ବଲ୍ରୁ ୪୭, ବିଜୟ ଶଙ୍କର ୧୦, ଡେଭିଡ୍ ମିଲର୍ ୬, ଅଭିନବ ମନୋହର ୩ ଓ ରାହୁଲ ତେୱାଟିଆ ଅପରାଜିତ ୨ ରନ୍ କରିଥିବା ବେଳେ ଶୁଭମନ ଗିଲ୍ ଖାତା ଖୋଲିପାରି ନ ଥିଲେ । ବିପକ୍ଷ ବୋଲର୍ କୃଣାଲ ପାଣ୍ଡ୍ୟା ଓ ମାର୍କସ ଷ୍ଟୋଇନିସ୍ ୨ ଲେଖାଏଁ ଏବଂ ନବୀନ-ଉଲ୍-ହକ୍ ଓ ଅମିତ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *