ରକେଟ୍ ଲଞ୍ଚରରେ କରିଥିଲେ ହମ୍ଲା

ଜି-୨ଠ ବୈଠକ ପୂର୍ବରୁ ଆତଙ୍କ ସୃଷ୍ଟି ଲକ୍ଷ୍ୟ
ନୂଆଦିଲ୍ଲୀ (ଏଜେନ୍ସି): ପୁଞ୍ଚରେ ଗୁରୁବାର ହୋଇଥିବା ରକେଟ୍ ଲଞ୍ଚର ଦ୍ୱାରା ଆଟାକର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ ଏଥିପାଇଁ ନିଜକୁ ଦାୟୀ କରିଛି ଜୈସ ସଂଗଠନ ସମର୍ଥିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫ୍ଏଫ୍ । ଏନ୍ଆଇଏ ସହ ଦିଲ୍ଲୀରୁ ୮ଜଣିଆ ଫରେନସିକ ଟିମ୍ ମଧ୍ୟ ଜାମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି । ସେନା ପକ୍ଷରୁ ଖୋଜ ଓ ମାର ମିାନ ଆରମ୍ଭ ହୋଇଛି । ଘଟଣାସ୍ଥଳରୁ ଚାଇନା ଗୁଳି ଜବତ କରାଯାଇଛି । ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସ୍ନାଇପର୍ ଡଗ ଓ ଡ୍ରୋନ ଯୋଗେ ଆତଙ୍କୀଙ୍କୁ ଠାବ କରିବା ଲାଗି ପ୍ରୟାସ ଚାଲିଛି । ବମ୍ ସ୍କ୍ୱାଡ୍, ସ୍ପେଶାଲ ଅପରେସନ ଗ୍ରୁପ, ଜମ୍ମୁ-କଶ୍ମୀର ପୁଲିସ୍ ଓ ଗୁଇନ୍ଦା ବିଭାଗ ସାମିଲ ହୋଇଛନ୍ତି ।
ଜି-୨୦ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କ ସୃଷ୍ଟି କରିବା ଲକ୍ଷ୍ୟରେ ଆକ୍ରମଣ କରାଯାଇଥିବା କୁହାଯାଉଛି । ଗୁରୁବାର ଅପରାହ୍ଣ ୩ଟାରେ ଜମ୍ମୁ-କଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ୍ ଉପରକୁ ଆତଙ୍କବାଦୀମାନେ ରକେଟ୍ ଲଞ୍ଚରରେ ଆକ୍ରମଣ କରିଥିଲେ । ଏଥିରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ର ଜଣେ ଓଡ଼ିଆଙ୍କ ସମେତ ୫ ଯବାନ ସହିଦ ହୋଇଥଲେ । ସହିଦ ଯବାନମାନେ ହେଲେ ପଞ୍ଜାବର ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ କୁଲୱନ୍ତ ସିଂ, ସିପାହୀ ହରକିଷନ ସିଂ, ସିପାହୀ ସେବକ ସିଂ ଏବଂ ଓଡ଼ିଶାର ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ । ଆକ୍ରମଣରେ ସେନା ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପ୍ରବଳ ବର୍ଷା ଓ ଅସ୍ପଷ୍ଟ ପରିବେଶର ସୁଯୋଗ ନେଇ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସବିଶେଷ ଅବଗତ କରାଇଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିଡିପି ନେତ୍ରୀ ମେହବୁବା ମୁଫ୍ତି ପ୍ରମୁଖ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *