ପରଲୋକରେ ତ୍ରିଲୋଚନ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ
ହେବ ଶେଷକୃତ୍ୟ
ବିଧାନସଭା ଓ ସିଏମ୍ସି ପରିସରରେ ଶ୍ରଦ୍ଧାଞ୍ଜଳି
ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର/କଟକ, ୨୧ା୪(ବୁ୍ୟରୋ): ଜଗତସିଂପୁର ଜିଲ୍ଲାର ବିଶିଷ୍ଟ ରାଜନେତା, ପୂର୍ବତନ ବିଧାୟକ ଓ ସାଂସଦ, କଟକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ, ଶିକ୍ଷାବିତ୍, ଅର୍ଥନୀତିଜ୍ଞ ତଥା ସ୍ତମ୍ଭ ଲେଖକ ତ୍ରିଲୋଚନ କାନୁନ୍ଗୋଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଛି । ସେ ଗତ ୩୦ ତାରିଖରୁ ଉକ୍ତ ହସ୍ପିଟାଲରେ ଚିକିସôିତ ହେଉଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ କାନୁନଗୋଙ୍କ ସହଧର୍ମିଣୀ ଅଗସ୍ତି କାନୁନଗୋ, ପୁତ୍ର ଶୁଭଦର୍ଶନ ଓ ତିନି ଝିଅ ଅଛନ୍ତି । ଶନିବାର ପୂର୍ବାହ୍ନ ୧୧ଟା ବେଳେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ବେବଡମୁଲେଇ ଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାରବର୍ଗଙ୍କଠାରୁ ଜଣାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସ୍ୱର୍ଗତ କାନୁନ୍ଗୋଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶୁକ୍ରବାର ପୂର୍ବାହ୍ନରେ ଡାକ୍ତରଖାନାରୁ ବିଧାନସଭା ପରିସରକୁ ତାଙ୍କ ମରଶରୀର ଅଣାଯିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବରିଷ୍ଠ ବିଧାୟକ ପ୍ରଫୁଲ କୁମାର ସାମଲ, ଦେବୀ ପ୍ରସାଦ ମିଶ୍ର, ଶିଭୂଷଣ ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ରାଧାକାନ୍ତ ସେଠୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟ ବହୁ ରାଜନୈତିକ ନେତୃବୃନ୍ଦ ସ୍ୱର୍ଗତ କାନୁନ୍ଗୋଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶେଷ ଦର୍ଶନ କରିଥିଲେ । ବାଚସ୍ପତି ଶ୍ରୀ ଆରୁଖ ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
ସ୍ୱର୍ଗତ କାନୁନଗୋଙ୍କ ମରଶରୀର ଶୁକ୍ରବାର ୧୨.୩୦ ମିନିଟରେ କଟକ ମହାନଗର ନିଗମ ବିଜୁଭବନକୁ ଅଣାଯାଇଥିଲା । ସେଠାରେ ମେୟର ସୁବାସ ସିଂହ, ଉପ ମେୟର ଦମୟନ୍ତୀ ମାଝି, କମିଶନର ନିଖିଲ ପୱନ କଲ୍ୟାଣ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସମସ୍ତ କର୍ପୋରେଟର ଓ ସିଏମସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଏହି ମହାନ ନେତାଙ୍କ ମୃତୁ୍ୟରେ ମେୟର ଶୁକ୍ରବାର ନିଗମ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରି ସ୍ୱର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିମେଣ୍ଟାରିଆନ, ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି । ସେ ଥିଲେ ସାଧାରଣ ଜନତାଙ୍କ ବନ୍ଧୁ ଓ ସାରା ଜୀବନ ସେ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ । ସାଂସଦ, ବିଧାୟକ, ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟିର ଚେୟାରମ୍ୟାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି । ତାଙ୍କର ନିଃସ୍ୱାର୍ଥପର ସେବା ପାଇଁ ସ୍ୱର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ସ୍ୱର୍ଗତ କାନୁନ୍ଗୋ ୧୯୪୦ ସେପ୍ଟେମ୍ବର ୧୨ ତାରିଖରେ କଟକ ଜିଲ୍ଲା ବଡମୂଲେଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଗୋବିନ୍ଦପୁର ଓ କଟକ ସଦର ଆସନରୁ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ମସିହାରେ ସେ ଜଗତସିଂପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେବଳ ରାଜନୀତି ନୁହେଁ, ଅର୍ଥନୀତିରେ ମଧ୍ୟ ତାଙ୍କର ପ୍ରଗାଢ ଜ୍ଞାନ ରହିଥିଲା । ସେ ଅଡଶପୁରର ଉଦୟନାଥ କଲେଜର ପରିଚାଳନା ସମିତିର ଅଧ୍ୟକ୍ଷ ଭାବେ ଭୂମିକା ନିର୍ବାହ କରୁଥିଲେ । ଏଥିସହ ସେ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ନିଜ ଅଞ୍ଚଳରେ ସେ ତିଲୁ ଭାଇ ନାମରେ ପରିଚିତ ଥିଲେ । ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ହେଉଛନ୍ତି ତାଙ୍କ ଭାଇ ।