ଟପ୍ ଥ୍ରୀ’ରେ ଓଡିଶା
ଖୁସି ରାଜ୍ୟ ତାଲିକାରେ ଓଡ଼ିଶାର ଲଙ୍ଗ୍ ଜମ୍ପ୍
ଭୁବନେଶ୍ୱର, ୨୧ା୪ (ବୁ୍ୟରୋ): ଦେଶର ସବୁଠାରୁ ଖୁସି ରାଜ୍ୟ ତାଲିକାର ଟପ୍ ଥ୍ରୀ’ରେ ସ୍ଥାନ ପାଇଛି ଓଡିଶା । ଗତଥର ଅପେକ୍ଷା ଚଳିତ ଥର ୧୩ଟି ସ୍ଥାନ ଡେଇଁ ଶ୍ରେଷ୍ଠ ତିନି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛି । ଗତଥର ଦେଶରେ ସବୁଠାରୁ ଖୁସି ରାଜ୍ୟ ତାଲିକାରେ ଓଡିଶା ୧୬ତମ ସ୍ଥାନ ହାସଲ କରିଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍କରି ସୂଚନା ଦିଆଯାଇଛି । ମାନବ ସମ୍ବଳ ସଂସ୍ଥା ‘ହାପିପ୍ଲସ୍ କନ୍ସଲ୍ଟିଂ’ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ସାତଟି ପର୍ଯ୍ୟାୟରେ ସର୍ଭେ କରାଯାଇ ‘ଦି ୱିକ୍’ ସଂସ୍ଥା ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଓଡିଶାରେ ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।
ଦେଶର ସବୁଠାରୁ ଖୁସି ରାଜ୍ୟ ତାଲିକାରେ ବଡ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପୂର୍ବ ଭଳି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି । ତାଲିକାର ଚତୁର୍ଥ ସ୍ଥାନ ହାସଲ କରିଛି କେରଳ ।
କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ସବୁଠୁ ଆଗରେ ରହିଛି । ଗୋଆ ତଳକୁ ମିଜୋରାମ ଓ ତ୍ରିପୁରା ଏହି ବର୍ଗରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶ ସବାଶେଷ (ଅଷ୍ଟମ) ର୍ୟାଙ୍କ୍ ପାଇଛି । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ଲାକ୍ଷାଦ୍ୱୀପ ଅଷ୍ଟମ ସ୍ଥାନରୁ ଉନ୍ନୀତ ହୋଇ ଏକ ନମ୍ବର ସ୍ଥାନ ପାଇବାରେ ସଫଳତା ହାସଲ କରିଛି । ଏହି ବର୍ଗର ଦ୍ୱିତୀୟ ଓ ତୃତୀୟ ର୍ୟାଙ୍କିଙ୍ଗ୍ ମିଳିଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦିଲ୍ଲୀକୁ । ଅପରପକ୍ଷେ ଉତ୍ତର ପ୍ରଦେଶ ସବୁଠାରୁ ଦୁଃଖୀ ରାଜ୍ୟ ବୋଲି ସର୍ଭେରୁ ଜଣାପଡିଛି ।
ନିମ୍ନୋକ୍ତ ୭ଟି ତତ୍ତ୍ୱ ଯଥା- ନିଜ ପସନ୍ଦ ପାଇଁ ସ୍ୱାଧୀନତା, ଦୁର୍ନୀତ ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦ ନେଇ ବିକାଶର ସୁଯୋଗ, ଉପଭୋକ୍ତାଙ୍କ ଅର୍ଥ ସୂଚକାଙ୍କ, ସାକ୍ଷରତା ହାର, ଜନ୍ମ ବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବ ଓ ସ୍ୱାସ୍ଥ୍ୟ ସୂଚକାଙ୍କକୁ ନେଇ ସର୍ଭେ ହୋଇଥିଲା ।