ଚେନ୍ନାଇର ଚତୁର୍ଥ ବିଜୟ
ଆଇପିଏଲ୍-୧୬ । ୨୯ତମ ମ୍ୟାଚ୍
ଜାଡ଼େଜାଙ୍କ ଯାଦୁକରୀ ବୋଲିଂ, କନୱେଙ୍କ ଦମ୍ଦାର ଅର୍ଦ୍ଧଶତକ
ଚେନ୍ନାଇ, ୨୧ା୪ (ଏଜେନ୍ସି): ରବୀନ୍ଦ୍ର ଜାଡ଼େଜାଙ୍କ ଯାଦୁକରୀ ବୋଲିଂ ଓ ଡେଭନ୍ କନୱେଙ୍କ ଦମ୍ଦାର ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ୨୯ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୭ ୱିକେଟ୍ରେ ପରାସ୍ତ କରିଛି । ଚେନ୍ନାଇର ଏହା ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ବିଜୟ, ଅନ୍ୟପଟେ ହାଇଦରାବାଦର ସମାନ ସଂଖ୍ୟକ ମ୍ୟାଚ୍ରୁ ଚତୁର୍ଥ ପରାଜୟ । ହାଇଦରାବାଦ ବିପକ୍ଷରେ ଚେନ୍ନାଇର ଏହା ୨୦ ମ୍ୟାଚ୍ରୁ ୧୫ତମ ବିଜୟ । ଜାଡ଼େଜା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଚେନ୍ନାଇ ଟିମ୍ ୧୮.୪ ଓଭର୍ରେ ୩ ୱିକେଟ୍ ହରାଇ ୧୩୮ ରନ୍ କରି ବିଜୟୀ ହୋଇଥିଲା । ଋତୁରାଜ ଗାଏକୱାଡ଼୍ ଓ ଡେଭନ୍ କନୱେଙ୍କ ଯୋଡ଼ି ୬୬ ବଲ୍ରୁ ୮୭ ରନ୍ର ଓପନିଂ ଭାଗୀଦାରୀ କରିଥିଲେ । ଗାଏକୱାଡ଼୍ ୩୦ ବଲ୍ରୁ ୩୫ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ ।
ଅନ୍ୟପଟେ କନୱେଙ୍କ ଦୃଢ଼ ଇନିଂସ୍ ଜାରି ରହିଥିଲା । ପରବର୍ତ୍ତୀ ଦୁଇ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ (୯) ଓ ଅମ୍ବାତି ରାୟୁଡ଼ୁ (୯) ମୟଙ୍କ ମାର୍କଣ୍ଡେଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ କନୱେ, ମୋଇନ୍ ଅଲୀଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । କନୱେ ୫୭ ବଲ୍ରୁ ୧୨ ଚୌକା ଓ ୧ ଛକା ସହାୟତାରେ ୭୭ ଏବଂ ମୋଇନ୍ ୬ ରନ୍ କରି ଅପରାଜିତ ଥିଲେ ।
କନୱେ ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଚଳିତ ସିଜନ୍ରେ ଏହା ତାଙ୍କର ଲଗାତାର ତୃତୀୟ ଅର୍ଦ୍ଧଶତକ ।
ଚେନ୍ନାଇ ଟିମ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୩୪ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ଜାଡ଼େଜା ୨୨ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ଆକାଶ ସିଂହ, ମହୀଶ ତୀକ୍ଷଣା ଓ ମାତୀଶା ପତିରାନା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ହାଇଦରାବାଦର ଅନ୍ୟ ବ୍ୟାଟର୍ମାନଙ୍କ ମଧ୍ୟରେ ରାହୁଲ ତ୍ରିପାଠୀ ୨୧, ହାରୀ ବ୍ରୁକ୍ ୧୮, ହେନରିଚ୍ କ୍ଲାସେନ୍ ୧୭, ମାର୍କୋ ଜାନ୍ସେନ୍ ଅପରାଜିତ ୧୭, ଅଧିନାୟକ ଏଡେନ୍ ମାର୍କ୍ରମ ୧୨, ୱାଶିଂଟନ୍ ସୁନ୍ଦର ୯, ମୟଙ୍କ ଅଗ୍ରୱାଲ୍ ୨ ରନ୍ କରିଥିଲେ ।